Unknown

 

 

 

 

 

 

 

 

 

କାନ୍ଦ କାନ୍ଦ ମଣିଷ

ଅମରେନ୍ଦ୍ର ମାଧବ ଦାଶ

 

ଉତ୍ସର୍ଗ

 

ମୋର ସାହିତ୍ୟ ପ୍ରତି ବିଭୋରପଣକୁ

କେବେ ବି ସ୍ୱୀକାର କରିନଥିବା

ବାପା,

ଏବଂ

ଜୀବନଟା

ଏକ ସାହିତ୍ୟବୋଲି

ସ୍ୱୀକାର କରିଥିବା

ସ୍ୱାଗତିକାକୁ

-୦-

 

କୃତଜ୍ଞତା

 

ମୋ କଥାବି କବିତା ପରି ଲାଗେବୋଲି ଅନୁଭବ କରୁଥିବା ସାନଭଉଣୀ କଳ୍ପନା ମଞ୍ଜରୀ ଦାଶ ।

 

ବୋଉ ପରି ମୋ ଭଲମନ୍ଦ ବୁଝିବା ସହିତ ମୋର ନୂଆ କବିତା ଶୁଣିବାକୁ ଦାବି କରୁଥିବା ଭାଉଜ ଅବନ୍ତୀ ଦାଶ ।

 

ରକ୍ତର ନୁହେଁ ଅଥଚ ଭାଇପରି ମୋ ସୁଖଦୁଃଖରେ ସାଥ୍ ଦେଇଆସିଥିବା କିଶୋର ଚନ୍ଦ୍ର ସାହୁ ।

 

ମୋ’ଦ୍ୱାରା ଲେଖାଲେଖି ଛଡ଼ା ଆଉ କିଛିବି ହେବନି ବୋଲି କହି ଲେଖିବାର ମୋହ ଜଗାଇ ଆସୁଥିବା ବନ୍ଧୁ ସୁନନ୍ଦ ବର୍ମାଙ୍କୁ ମନେପକାଉଛି ।

 

କବିତା କ୍ରମ

 

୧) ଯୁଆଡ଼େ ନେଇଯିବ କବିତା

୨) ଚାଲ ବୁଲି ଆସିବା

୩) ଖୋଜିଲି ପାଇଲିନି

୪) କିଏ ଜଣେ ଡାକୁଛି

୫) ଗୀତ ହୋଇଯିବି ଜୀବନ ଖାତାରେ

୬) ହଜିଯିବାର ବେଳ

୭) ଗୁଡ଼ି

୮) ଜୀବନ ଜ୍ୟାମିତି

୯) ସୁଖ ଖୋଜାଳି

୧୦) ହୋ ମଣିଷମାନେ

୧୧) ଯିବାକୁ ହେବ

୧୨) କଥା କିଞ୍ଚିତ୍‌

୧୩) ପ୍ରିୟ ମଣିଷ

୧୪) ଯେଉଁମାନେ ଦିନସାରା ଖରାରେ ଖଟିଛ

୧୫) ମଣିଷ ହାଟ

୧୬) କାନ୍ଦକାନ୍ଦ ମଣିଷ

୧୭) ଦୁଃଖ ଦୋସ୍ତ

୧୮) ସ୍ୱାଗତ ତୁମକୁ ଜୀବନ

୧୯) ରାତି ସାରା ବର୍ଷା

୨୦) ବାତ୍ୟା

୨୧) କାନ୍ଦକାନ୍ଦ ମଣିଷ-୨

୨୨) ଫାଳେ ଅନ୍ଧାର

୨୩) ପାଇଲିନି

୨୪) ଦୁଃଖକୁ ଚିହ୍ନିବ ଆସ

୨୫) ବତିଶ ବର୍ଷୀୟ ବେକାର ପୁଅ

୨୬) ଭାବୁଛି ଆଉ ଲେଖିବି ନାହିଁ କବିତା

୨୭) ତମେ ଅଛ

୨୮) କ'ଣଟେ ଲେଖିଦେଇଛି ପୁଅ !

୨୯) କିଛି ବି ବୁଝି ହେଲାନି

୩୦) କଣ୍ଟ ଦେଇ ଯାଇଥିବା ମଣିଷ

୩୧) କୁମ୍ଭୀର ପିଠିର ମାଙ୍କଡ଼

୩୨) ହାତ ଛାଡ଼ି ଦେଇଥିବା ଝିଅ

୩୩) ବଡ଼ବଡ଼ୁଆ

୩୪) ବିଦାୟବେଳାର ଗୀତ

୩୫) ଶବ୍‌ଦର ଡାକ

୩୬) ଆଖି ବୁଜିଦିଅ ଈଶ୍ୱର

୩୭) ଜୟ ହୋ

୩୮) ଜୀବନୀ

୩୯) ଏମିତି ଦିନେ ହଜିଯିବି

୪୦) ଫେରିଚାଲ

୪୧) ଅକାତକାତ

୪୨) ରାତି ସେମିତି ଶୋଇଥାଉ

୪୩) ଲେଖା ସରିଲାଣି

୪୪) ଆଜି ପାଇଁ ଏତିକି ଥାଉ

-୦-

 

ଯୁଆଡ଼େ ନେଇଯିବ କବିତା

 

ବାହାରିଛି ପଦାକୁ

ଯୁଆଡ଼େ ନେଇଯିବ କବିତା

ଯିବି ସିଆଡ଼େ ସିଆଡ଼େ଼.

 

ନୀଳ ବଉଦର ବାଗୁଡ଼ି ଖେଳ

କୋଇଲିର କୁହୁକୁହୁ

ଝରଣାର ଝନତ୍‌କାର

ଗୋଧୂଳିର ଗଜଲ ଶୁଣି,

ସାରିସାରି ନଡ଼ିଆ ବଗିଚା

ତାଳବଣ, ଶାଳବଣ ଡେଇଁ

ପବନର ସୁର ଧରି ଚାଲିବି ତ

ଫେରି ଚାହିଁବିନି ଜମାରୁ ପଛକୁ ॥

 

କିଛି ବି ଶୁଣିବିନି

ପୁଅ, ଝିଅଙ୍କ କ୍ରନ୍ଦନ

ସ୍ତ୍ରୀର ଆକୁଳ ନିବେଦନ

ସାଇପଡ଼ିଶାଙ୍କ ଅନୁରୋଧ କି

ବୁଢ଼ୀ ବୋଉର ଆବେଦନ

 

ପଛ କରିଦେଇ ଯିବି

ଅନ୍ଧାରର ମୋହ

ଆଲୋକର ଇତିହାସ

ଜୀବନର ଜାଗତିକତା

ମାଟିର ମାର୍ମିକ ଅଭିବାଦନ ॥

 

ମୁଁ ଓ ମୋ ନିଃସଙ୍ଗତାକୁ କାଖକରି

ମେଞ୍ଚାଏ ଅନୁଭବର ଅନୁବାଦକୁ

ସାଦାକାଗଜରେ ସାଉଁଟି

ସଞ୍ଚରିଯିବି ଏଇଠି କୋଉଠି

ନିରୋଳାରେ, ନିର୍ଲିପ୍ତତାରେ

 

କହି ଦେଉଛି -

ଏବେଳରେ ଜମାରୁ

ଧ୍ୟାନ ଭାଙ୍ଗିବାକୁ କରିବନି ଯୋଜନା

ନହେଲେ ରହିଯାଇପାରେ

ଜଗନ୍ନାଥଙ୍କ ପରି ଅଧାଗଢ଼ା ଦିଅଁ ॥

 

କ’ଣ ଶୁଭୁଛିଟି ?

ତମେ ଜାଣିରଖ

ବହାରିଛି ଯେତେବେଳେ ପଦାକୁ

କୁଆଡ଼େ ଯିବି ଜାଣେନା,

ତଥାପି ଏତିକି କହିବି

ଯୁଆଡ଼େ ନେଇଯିବ କବିତା

ଯିବି ସିଆଡ଼େ଼ ସିଆଡ଼େ

 

ଆଗକୁ ସାଥେ ଦେଉ ବା ନଦେଉ

ପାଦ, ପଥ ଅବା ପଥିକ !

-୦-

 

ଚାଲ ବୁଲିଆସିବା

 

ଯେଉଁ ଗଛର ଡାଳରେ

ବସିଛି କାଳିଦାସ

ହାଣୁଥାଉ ତା’ର ମୂଳ

ଖସିଯାଉ ଥରକୁଥର

ବିକ୍ରମ ପିଠିରୁ

ଚତୁର ବେତାଳ

ଲାଗିରହୁ ପୁନଃପୌନିକ ଗତିରେ

ସେଇ ଏକାପ୍ରକାର ଖେଳ ॥

 

ଖୋଜା ଚାଲୁ ବର୍ଷ ବର୍ଷ

ଆଗ ଗଛ ନା ଆଗ ଫଳ

ରହସ୍ୟ ହୋଇ ରହିଥାଉ

ଏଇ ଗୁଢ଼ତତ୍ତ୍ୱ

 

ଚାଲ ବୁଲି ଆସିବା

ଏଇ ଭିତରେ ଟିକେ

ଗାଁ ମୁଣ୍ଡ ନଈ କୂଳ ॥

 

ନଈକୁ ପଚାରିବା

ନଈର ନିଦ କଥା

ନାଉରୀକୁ ଜଳ, ଜୀବନର କଥା

ମାଛରଙ୍କାକୁ ମାଛ କଥା

ଯାତ୍ରୀକୁ ଯାତ୍ରା କଥା

ଧୀବରକୁ ଧୀରପାଣି କଥା

ସୁଅକୁ ସମୁଦ୍ର କଥା

ବାଲିକୁ ବାଟୋଇ କଥା

କୂଳକୁ କବିତା କଥା

 

ସେଇଠୁ ଫେରିବା

ଫେରିବା ତ ଚୁପ୍‌ଚାପ୍ ବସିବା

ସ୍ୱପ୍ନ ଗୁନ୍ଥିବା

ସ୍ୱପ୍ନକୁ ଗୁନ୍ଥୁଗୁନ୍ଥୁ

ଗୀତ ଗାଇବା, ନାଚିବା

ତା’ପରେ ହସିବା

ମନ ଖୋଲା ହସ.

 

ନଚେତ ଶୋଇଯିବା

ଗାଢ଼ ନିଦରେ

ଏକ ସୁନ୍ଦର ସକାଳ ଅପେକ୍ଷାରେ

ନା କ’ଣ କହୁଛ ??

-୦-

 

ଖୋଜିଲି ପାଇଲିନି

 

ଯା’ ଖୋଜିଲି ପାଇଲିନି!

 

ଅନ୍ଧାରରୁ ଟିପେ

କଳା ରଙ୍ଗ

ଗୋଲାପ ଫୁଲରୁ

ଗାଢ଼ ଲାଲିମା

ବନ୍ଧୁଠାରୁ

ନିରୁତା ଭଲପାଇବା

ବନ୍‌ଶୀ କଣ୍ଟାରେ

ଖାଦ୍ୟ ଲୋଭୀ ମାଛ

ଝିଙ୍କାରିର

ଝିଇଁ, ଝିଇଁ ଶବ୍‌ଦ

ଜହ୍ନର ଜ୍ୟୋତ୍ସ୍ନାରୁ ଶୀତଳତା

ପବନର ସୁରଦିଆ ଲୋରି

ଯନ୍ତ୍ରଣାରେ କା’ର ଆହା ପଦେ

ମନକୁ ବୁଝିପାରୁଥିବା ମନଟିଏ

ଏପରିକି ମଣିଷର ମଣିଷପଣିଆ

 

ଢେର ଖୋଜିଲି ମ

କିଛି ବି ପାଇଲିନି!

 

ଧାଇଁଲି -

ଖରାରେ, ଶୀତରେ,

ବର୍ଷାରେ, ବସନ୍ତରେ,

ବନ୍ୟାରେ, ବାତ୍ୟାରେ,

କ’ଣ ଖୋଜିଲି

କ’ଣ ପାଇଲି

ଜାଣିନି

ଏତିକି ଜାଣିଛି

କିଛି ଗୋଟେ ପାଇବାର ଅଛି

ମୋତେ, ତୁମକୁ, ସମସ୍ତଙ୍କୁ.

 

ଆଜି ଯାଏଁ କିଛି ବି ପାଇଲିନି

ହୋ ମଣିଷମାନେ !

କେବେ ଯଦି କିଏ

ପାଇଯାଏ କିଛି

ଜଣେଇବ ନିମ୍ନ ଠିକଣାରେ

ପ୍ରାପ୍ତେଷୁ,

ଅମରେନ୍ଦ୍ର ମାଧବ ଦାଶ

ମାର୍ଫତ : ଶ୍ରୀଶ୍ରୀ ଯମରାଜ

ସା/ପୋ. : ସ୍ୱର୍ଗଦ୍ୱାର, ଯମପୁର

ଭାୟା : ଶ୍ରୀମନ୍ଦିର

ଭବନ : ଇନ୍ଦ୍ରପୁରୀ

 

ଆଉ ସବୁ ସାକ୍ଷାତରେ

ଧନ୍ୟବାଦ୍ !

-୦-

 

କିଏ ଜଣେ ଡାକୁଛି

 

ମଝି ନଈରୁ

କିଏ ଜଣେ ଡାକୁଛି

କିଛି ଦିଶୁଛି କି?

ପାହାଡ଼ର ଗୀତ

କିଏ ଜଣେ ଗାଉଛି

କିଛି ଶୁଭୁଛି କି ?

 

ଯଦି ନ ଶୁଭୁଛି

ତମେ ଢେର ଭଲଲୋକ

ନିଜ ରାସ୍ତାରେ ଭାଇ

ଆଗେଇ ଚାଲ !

 

ଯଦି ଶୁଭୁଛି କାହାର

ମର୍ମଭେଦୀ ଡାକ

ଭୈରବୀ ରାଗର ସଂଗୀତ

ରହିଯା ଥ’ ହେଇ କିଛି କାଳ ॥

 

ଲୁହର ସମ୍ବଳ

ସାଇତି ରଖ ପଣତରେ

ବଞ୍ଚିବାର ବ୍ୟାକରଣ ଘୋଷିଚାଲ

ସକାଳ, ସଞ୍ଜ, ଦି’ପହର ॥

 

ଭାଇମାନେ-

ଆଲ୍ଲା କ’ଣ କାଲ

ଦିନକୁ ପାଞ୍ଚଥର ଶୁଭୁଛି

ଆଲ୍ଲା ଆକବର, ଆଲ୍ଲା ଆକବର ଚିତ୍କାର,

ନା, ବୁଦ୍ଧ କ’ଣ ଗଧ

କେଉଁ କାଳୁ ତ

ଠିଆ ହୋଇଛନ୍ତି ସେମିତି

ଧଉଳି ଚୂଡ଼ାରେ !

 

କହିଲ କିଏ କ’ଣ ?

ମଣିଷ ଏବେ ମଣିଷ

ନା ଭଗବାନ ?

 

ଜାଣେ କିଛି ବି ଶୁଭୁନି

ମୋତେ, ତୁମକୁ,

ଏପରିକି ସମସ୍ତଙ୍କୁ

ତଥାପି କାହାର ଡାକରେ

ଆମେ ଆଗଉଛେ

ନିରବଧି କୁଆଡ଼େ

କହିପାରିବ କି ଭାଇମାନେ?

 

ହଉ ନହେଲା ନାହିଁ

ଚାଲ, ଚାଲ, ଚାଲ.

କିଏ ଜଣେ ଡାକୁଛି !

-୦-

 

ଗୀତ ହୋଇଯିବି ଜୀବନ ଖାତାରେ

 

ଢେରଥର ଭାଙ୍ଗିଗଲା ପରେ

ଭାବିଥିଲି ଗୀତ ହୋଇଯିବି

ଜୀବନର ଗୀତ ଖାତାରେ ଯେ

ସୁର, ଲୟ, ତାଳକୁ

ଧରିପାରିଲିନି ସହଜରେ

 

ଆଙ୍କିଲି କାନ୍‌ଭାସରେ

ରଙ୍ଗ ତୂଳି ନେଇ,

ଇଲିବିଲା ଚିତ୍ରରେ

ଫୁଟିଉଠିଲା ସେ ଏକ

ଅଦ୍‌ଭୁତ ବାସ୍ତବତା

 

ପାଣିକୁ ଫିଙ୍ଗିଲି ଟେକା

ଥରି ଉଠିଲା କୂଳ,

ମନରେ କଷିଲି

ଜୀବନର ଜ୍ୟାମିତି

ଲସାଗୁ, ଗସାଗୁ

 

ଯା’ ମିଳିଲା

ତାହା ନକହିବା ଭଲ ॥

 

ଏତେ ନିରବତା

ନିଃସଙ୍ଗତାରେ

କିଛି ନା କିଛି ଶୁଭିଯାଏ କଥା,

ଏକାଏକା ଚୁପ୍‌ଚାପ୍

ଚାପ ଖେଳିବାରେ

ନଥାଏ କି କମ୍ ରସିକତା !

 

ଯା’ ହେଉ

ବଞ୍ଚିବାର ବ୍ୟାକରଣ

ସୁଖୀ ହେବାର ସରଳ ସୂତ୍ରକୁ ଧରିବାରେ

କିଏ ଯଦି ସାରିଦେଲା ଗୋଟା ଜୀବନ

କ’ଣ ଲାଭ କହୁନ-

ଯେତେଯେତେ ନିୟମ, କାନୁନ

ଆଉ ସମ୍ବିଧାନ ॥

 

ଥାଉ ସେତିକି ଥାଉ

ଗୀତ ଲେଖା-

ଇନ୍ଦ୍ରଧନୁର ରଙ୍ଗରେ

ଟିପା ହେଉ ଅନାବନା

ଜୀବନର ନିରୁତା କବିତା ।

-୦-

 

ହଜିଯିବାର ବେଳ

 

ଅନ୍ଧାରରୁ ଟିପେ କଳା ରଙ୍ଗକୁ

କଲମର ସ୍ୟାହିକରି

ସଜେଇଛି କବିତା,

ଯାଦୁ ଛଡ଼ିରେ ମନ୍ତ୍ରିତକରି

ଗୁନ୍ଥିଛି ଶବ୍‌ଦ

ଅକ୍ଷର ଓ ଶବ୍‌ଦକୁ

ଯୁଗଳବନ୍ଦୀରେ ମନେଇଛି

କହିବାକୁ ମନକଥା ॥

 

ରେଳଗାଡ଼ି ଚାଲିଛି

ଛୁକ୍‌ଛୁକ୍ ଛୁକ୍‌ଛୁକ୍‌

କ’ଣ କହୁଛି ସେ

ଟିକେ ରାହାନେଇ

ତଣ୍ଟି ଫଟାଇ

ଆଗକୁ ବଢ଼ିଚାଲ ?

ଆଗକୁ ବଢ଼ିଚାଲ ??

 

ଅନ୍ଧାରର ଅଳନ୍ଧୁରେ

କ’ଣଟେ ଲାଗିଛି

ଶୁଭୁଛି, ଫଡ୍‌ଫଡ୍ ଫଡ୍‌ଫଡ୍‌

ବୁଢ଼ିଆଣୀ ଗଢ଼ିଚାଲିଛି

ଭାଗମାପରେ ଜାଲ ॥

 

କାନପାରି ଶୁଣିଲେ ଟିକେ

କିଏ ଜଣେ କହୁଛି-

ଟିକ୍‌ଟିକ୍‌, ଠିକ୍‌ଠିକ୍‌

ଯିବାକୁ ହେବ ବହୁ ଦୂର

ପୁଣି ପଥ କଙ୍କରିଳ॥

 

ଆଉ ଯାହା ଯାହା

ରହିଗଲା ବାକି

ତା’ ନକହିବା ଭଲ,

ଭାଇମାନେ

ଏତିକି ବେଳେ ଚୁପ୍‌ଚାପ୍‌

ହଜିଯିବାର ବେଳ ॥

-୦-

 

ଗୁଡ଼ି

 

ଗୁଡ଼ି ଉଡ଼ୁଛି, ଗୁଡ଼ି ?

 

ପବନର ସୁଅ କାଟିକାଟି

ଆକାଶର ଛାତି ଚିରି

ଉଡ଼ୁଛି ଯେ ଉଡ଼ୁଛି

ଉପରକୁ ଉପରକୁ

ଆହୁରି ଉପରକୁ

 

ସାଇଁସାଇଁ ଉଠୁଛି ଗୁଡ଼ି

ଛୁଇଁବାକୁ

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର

ତାରକାପୁଞ୍ଜ, ନୀହାରିକା

 

ହୁଗୁଳିଯାଉଛି ତ

ଖସିଯାଉଛି ସୁର୍‌ର୍ କରି

ନଟେଇରୁ ମାଞ୍ଜାଦିଆ ସୂତା,

ଖସୁଛି ପୁଣି ଉଡ଼ୁଛି ଊର୍ଦ୍ଧ୍ୱଉଡ୍ଡାଣ

 

ତଳୁ ଉପର, ଉପରୁ ତଳ

ଥରକୁ ଥର ବାରବାର

 

ଦେଖୁଛି -

ଆକାଶରେ ହାରିବା ଜିତିବାର

ଏ ଚମତ୍କାର ଖେଳ,

ନିର୍ବିକାର

 

ଦେଖାଯାଉଛି ଧୀରେ ଧୀରେ

ଛୋଟ ଛୋଟ ଆହୁରି ଛୋଟ

ନା ଆଉ କିଛି ଦିଶୁନି

ଗୁଡ଼ି ସୂତା କିଛି ବି

 

ଛିଣ୍ଡିଯାଉଛି

ମାଞ୍ଜାଦିଆ ସୂତା

ସରି ଯାଉଛି

ଗୁଡ଼ିର ଗର୍ବ, ଦମ୍ଭ

ଲୁଚି ଯାଉଛି

ସହର, ନଗର, ଡଗର,

ବଣ, ଜଙ୍ଗଲ, ପାହାଡ଼

ସେପାଖ ଦୂର ଦିଗ୍‌ବଳୟରେ

କ’ଣ ଗୋଟେ॥

 

ନା, ଜମାରୁ ଆଉ

ଆଖି ପାଉନାହିଁ

ଗୁଡ଼ି ଆଉ ଗୁଡ଼ିହେଇ ରହିନାହିଁ

 

ମୁଁ ବି ଏ ଭିତରେ

ମୁଁ ହେଇ ରହିନାହିଁ ଆଉ !

-୦-

 

ଜୀବନ ଜ୍ୟାମିତି

 

ଶବ୍‌ଦକୁ ଚନ୍‌ଛାଚନ୍‌ଛି କରି

ଲେଖିଦେଇଛି ଦି’ଧାଡ଼ି କବିତା

ମୂଲ ଲାଗିବାକୁ କହୁନି ମ

ଟିକେ ମନଦେଇ ପଢ଼!

 

ମନ ତଳ ଫେନିଳ ମାଦକତା

ଆଖିର ଟିପେ ଲୁଣିଆ ଲୁହ

ସୁଖର ଚିନିଶିରା

ସୁସୁପ୍ତ ଇଚ୍ଛାର ବରଫଖଣ୍ଡକୁ ନେଇ

ଛକର ବଇନନା ସର୍ବତ ତିଆରିବା ପରି

ଏକାଠି ଫେଣ୍ଟି ଦେଇଛି ଯା’

ଟିକେ ଚାଖ

 

ବେଶ୍ ଥକିଗଲଣି ହୋ ମଣିଷ !

ଟିକେ ବସ-

କେତେ ଆଉ ଧାଇଁବ ମିଛରେ,

ଜୀବନ ଜ୍ୟାମିତିକୁ ଥରୁଟିଏ ବୁଝ

ନିରବତାର ଭାଷାକୁ

କାନଡ଼େରି ଶୁଣ

କୋଇଲିର କୁହୁକୁହୁରେ

ଆମୋଦିତ ହୁଅ

ଝରଣାର ଝନତ୍‌କାର୍‌ର

ମନଖୋଲି ମଜା ନିଅ

ଇନ୍ଦ୍ରଧନୁର ରଙ୍ଗ ବୋଳିହୁଅ

ଟିଟିଭ ପରି ଗାଅ

 

ସୁଯୋଗ ମିଳିଲେ

ଅକ୍ଷୟ ମହାନ୍ତିଙ୍କୁ ଶୁଣ

ପଙ୍କଜ ଉଦାସର ଉଦାସିଆ

ଗଜଲକୁ ଅନୁଭବକର

ନଚେତ ଚୁପ୍‌ଚାପ୍

ଗାଢ୍ ନିଦରେ ଶୋଇପଡ଼

ଜୀବନକୁ ଜୀବନପରି ବଞ୍ଚ॥

 

ଯେତେ ସହଜରେ କହିଦେଲି

ହୋ ମଣିଷମାନେ

ସେତେ ସହଜ ନୁହଁ

 

ଜୀବନ ଜିଇଁବା,

ତଥାପି ଚେଷ୍ଟା ଜାରିରଖ

 

ଯୁଦ୍ଧ ନକରି ହାରିବା ଅପେକ୍ଷା

ବେଶ୍ ଭଲ ନୁହେଁ କି

ଯୁଦ୍ଧକରି ହାରିବା!!

-୦-

 

ସୁଖ ଖୋଜାଳି

 

ଫି’ ଥର

ସୁଖକୁ ସାଉଁଟିବାବେଳେ

ଲମ୍ବି ଆସୁଛି ଦୁଃଖର ହାତ

 

ଦିଶିଯାଉଛି ଜଳଜଳ

ଶହେ କୋଶ ଦୂରରେ ଥିବା ପରିବାର

ଜମିବାଡ଼ି ଚାଷର ଦାୟିତ୍ୱ (ତତ୍ତ୍ୱ)

ଭଉଣୀର ବାହାଘର

ସାନଭାଇର ରେଜଲ୍‌ଟ

ବାପାଙ୍କ ଆଖି ରୋଗ

ବୋଉର ଆଣ୍ଠୁଗଣ୍ଠି ବାତ

କରିଦେଉଛି ଅସ୍ତବ୍ୟସ୍ତ ତ,

ଅନେକ ସମୟ

ମାର୍ଫତ୍‌ରେ ଆସିଯାଉଛି

ପତ୍ନୀଙ୍କ ଧାଡ଼ି ଧାଡ଼ି

ଦୁଃଖର ଦରଖାସ୍ତ ॥

 

ଦୁଃଖ କ’ଣ ଜୋକ ?

ସଦା ସାଲୁବାଲୁ

ନିତିଆନି ଲେଖୁଥାଏ

ଜୀବନ ଖାତାରେ

ନୂଆ ଅଭିଲେଖ,

ଆଉ ସୁଖ ପାହାନ୍ତିଆ ତାରା

ସହଜେ ଦିଏନି ଧରା ?

 

ଆଜିଯାଏଁ ବୁଝିପାରିଲିନି !

ଦୁଃଖକୁ ନେଇ

ଜୀବନ ଜିଇଁବା ଏକ କଳା

ନା ଭାଗ୍ୟଲେଖା ?

 

ଅବା ସୁଖ ଖୋଜାଳିମାନେ

ସମୟର ସାଜନ୍ତି କି ଗୁପ୍ତଚର ?

ସବୁ ସହି ସଂଗ୍ରହ କରନ୍ତି

ସମୟର ଟିପଚିହ୍ନ

 

କାଇଁ ବେଶ୍ ତ ବଞ୍ଚି ଯାଉଛନ୍ତି ଅନେକ

ସୁଖରେ ସୁଖରେ,

ସତେ ବା ତାଙ୍କ ପାଇଁ ସୁଖ ଏକ

ଇସ୍ତ୍ରୀକରା ପକେଟ୍ ରୁମାଲ୍ ॥

 

ସୁଖ ପାଇଁ ଏତେ ଆତୁରତା ବି

ଠିକ୍ ନୁହଁ ମ ଭାଇ !

ବେଶ୍ ଭଲ, ଦୁଃଖ ପଛେ କରୁଥାଉ କଲବଲ

ଆଖିରେ ଥାଉ ପୁଳେ ନିଦ

ମନରେ ମାନବିକତା

ଛାତିତଳେ ଜଳୁଥାଉ

ଦାଉଦାଉ ସଚ୍ଚୋଟପଣିଆ

ଦୂରରେ ରହିଥାଉ ଛଳ

 

ସେତିକି ସମ୍ବଳରେ

ଲାଗିଥାଉ ଜଞ୍ଜାଳ

ଏମିତି ବିତିଯାଉ ଜୀବନ ଅବଶିଷ୍ଠ ଆୟୁ କାଳ ?

-୦-

 

ହୋ ମଣିଷମାନେ

 

ବହୁବାଗରେ

ଢେର ଖର୍ଚ୍ଚକଲଣି ସମୟ

ଲକରରେ ଲକ୍‌ କରି ରଖିଲ

ଭବିଷ୍ୟତ ସୁଖ

ତଥାପି ତୁଟୁନି ଭୟ !!

 

ଜୀବନକୁ ନେଇ ଏତେ କ’ଣ ବ୍ୟସ୍ତ ?

ତୁମେ କ’ଣ ଡେଇଁଯିବ

ସମୟ ପୂର୍ବରୁ ଦୂର ଦିଗ୍‌ବଳୟ ?

ତାକୁ ଛଡ଼ିଦିଅ ହୋ ତା’ ବାଟରେ

ଟ୍ରେନ୍ ଧାଉଁଥିବା ପରି ଧାଉଁ ଜୀବନ

 

ବେଶ୍ ସଞ୍ଚି ସାରିଲଣି

ଏଣିକି ଟିକେ ସହଜ ହୁଅ

ଅର୍ଥ, ଉନ୍ମାଦନା, ବଳ, ବୀର୍ଯ୍ୟ

ତାକୁ ଟିକେ ଅବସର ଦିଅ

ସୁଖକୁ ଛାତିରେ ଲଗାଅ

 

ଗଲାବେଳେ କିଛି ନେଇଯିବ କି

ହୋ ମଣିଷମାନେ !

ସବୁ ଏଇଠି ରହିଯିବ ମ

ଘରବାରି, ବ୍ୟାଙ୍କ ବାଲାନ୍ସ, ମଟରଗାଡ଼ି

ଗର୍ବ, ଅହଂକାର, ଯଶ, ପ୍ରତିପତି

ପିଲାଝିଲା, ସବୁକିଛି

 

ଯେଉଁମାନଙ୍କୁ ନେଇ ଏତେ ନାଟ

ଏତେ ବ୍ୟସ୍ତ ବିବ୍ରତ

ସେମାନେ ବି ଯିବେନି

ତେବେ କାହିଁକି ଏତେ ଲୋଭ

ଏତେ ଆତୁରତା

ଭବିଷ୍ୟତ ସଞ୍ଚିବାକୁ ବ୍ୟାକୁଳତା

 

ଏବେ ଚକାପାରି ବସ୍‌

ରେଡିଓରୁ ଦଣ୍ଡନାଚ, ଧୁଡ଼ୁକି, କେନ୍ଦରା

କି ପତରସଉରା ଗୀତ ଶୁଣ,

ସୋହେଲାର ଘଣ୍ଟବାଦ୍ୟର

ତାଳେତାଳେ ମନକୁ ନଚାଅ

ଡାଲଖାଇକୁ ଉପଭୋଗ କର

 

ନଚେତ୍ କୋଇଲିର କୁହୁକୁହୁ କପିକର

ପ୍ରଜାପତିର ଛଉନୃତ୍ୟ ଦେଖ

ଭ୍ରମରର ଭେମ୍ବାଳି ପରଖ

ଏଣ୍ଡୁଅର ରଙ୍ଗ ବଦଳାଇବାକୁ କର ଲକ୍ଷ୍ୟ

 

ଓ ରକ୍ତର କାଳିରେ

ଆଙ୍ଗୁଠିକୁ ତୂଳିକରି

ଜୀବନର ଜଳଛବି ତିଆର

ହୋ ମଣିଷମାନେ !!

-୦-

 

ଯିବାକୁ ହେବ

 

ତିଥିବାର ଜଣାନାହିଁ

ତଥାପି ଯିବାକୁ ହେବ

 

ଛାଡ଼ିବାକୁ ପଡ଼ିବ

ବିନା ସର୍ତ୍ତରେ

ସବୁ କିଛି ଏଠି

 

ଏପରି କି ପ୍ରିୟ

କବିର କବିତା

ବର୍ଷ ବର୍ଷ ଧରି

ମୋହାଚ୍ଛନ୍ନକରି ରଖିଥିବା

ମେଞ୍ଚାଏ ଲୋଭନୀୟ ଶବ୍‌ଦ

ଗାଢ଼ ରାତିର ମିଞ୍ଜିମିଞ୍ଜି ତାରା

ତୋଫା ଜହ୍ନ

ନୀଳ ଆକାଶ

ପବନର କୋମଳ ସ୍ପର୍ଶ

ନିଃସଙ୍ଗତାରେ

 

ସାଥ୍ ଦେଉଥିବା କାଗଜ, କଲମ

ଆଉ ସମ୍ପର୍କର ବୁଢ଼ିଆଣୀ ଜାଲ ॥

 

ବେଶ୍ ଜିଇଁଲି ଜୀବନ

ବେଶ୍ ପାଇଲି ସମ୍ମାନ

ଆଉ କ’ଣ ପାଇବାର ଅଛି ?

ଅଢ଼େଇ ଦିନ ପାଇଁ

ମିଛରେ ଆଣ୍ଟ ଯାହା ବାଇମନ

 

ଏତେ ଦିନଯାଏ ଲୁଚେଇ ଥିଲି

ପୁଣ୍ୟ ଭାବି ଯାହା ସବୁ

ଆଜି ଜାଣିଲି

ସେ ତୁଛାକୁ ପାପ,

ଖର୍ଚ୍ଚ କଲି ଯେତିକି ଆୟୁଷ

ଏବେ ଲାଗୁଛି ସେସବୁ

ଅନାବଶ୍ୟକ ଗପ ପରି ଗପ ॥

 

ହେ ମୋର ପ୍ରିୟ ଶବ୍‌ଦମାନେ

ଏଇ ତ ଶୁଭିଲାଣି

ରହିରହି ବଂଶୀସ୍ୱନ

ମହମହ ମହକିଲାଣି

ଗୋଗୁଳ ଚନ୍ଦନ

 

ସେମାନଙ୍କ ପରି

ସବୁ କିଛି ଛାଡ଼ି

ମୋତେ ଯିବାକୁ ହେବ

ଯେଉଁଠି ଚାଲିଛି

ନିତ୍ୟ ସୁଖର ମେଳଣ ॥

 

କିନ୍ତୁ ତିଥିବାର ଜଣା ନାହିଁ

କେବେ ଯିବାକୁ ହେବ?

-୦-

 

କଥା କିଞ୍ଚିତ୍‌

 

ଗୋଟେ ଦୀର୍ଘଶ୍ୱାସ ହିଁ ଯଥେଷ୍ଟ

ଭୁଲିଯିବାକୁ

ଅସଫଳତାର ଇତିହାସ

 

ଟୋପାଏ ଜଳ ହିଁ ତ

ଲିଭେଇଦିଏ

ସ୍ଲେଟ୍‌ର ଦାଗ

ପୁଣି ଲେଖାହୁଏ

ଅ, ଆ, କ, ଖ, ଗ ॥

 

ଯେଉଁଠି ସରିଯାଏ

ସେଇଠୁ ଆରମ୍ଭ ହେବାର

ସମ୍ଭାବନାଟିଏ ଥାଏ ॥

 

ରାସ୍ତା କ’ଣ ସରେ

ଜୀବନ କାଳରେ,

ଯାହା ସରେ ତା’ ଆୟୁଷ ?

 

ଢେର୍ ବିଫଳତାର

ଅଭିଜ୍ଞତା ହିଁ କହିପାରେ

ସଫଳ ହେବାର ରହସ୍ୟ !

 

ହାଡ଼ଭଙ୍ଗା ଦୁଃଖ

ସହିଥିଲେ

ଅନୁଭବୀ ହୁଏ

ସୁଖର ସିମ୍ଫୋନୀ ॥

 

ପଢ଼ିଥିଲେ

ଜୀବନ ବେଦ

ଲେଖିହୁଏ ନିରୁତା କାହାଣୀ ॥

 

ଅନ୍ଧାରଠୁ

ବେଶ୍ ଗାଢ଼ଅନ୍ଧାର

ଅନ୍ଧବିଶ୍ୱାସ ॥

 

ଦୁଇଟୋପା ଲୁହ ହିଁ

ବଦଳେଇ ଦେଇପାରେ

ଜୀବନର ଗତିପଥ ॥

 

ହାରିବାକୁ ହରେଇବା

ଶିଖିଗଲେ

ସୁଖ ଖାଲି ସୁଖ ॥

-୦-

 

ପ୍ରିୟ ମଣିଷ

 

ଯେତେବେଳେ

ନିଅ କହିଲି, ନେଲନି

ଏବେ ମାଗୁଛ ଯେ

ଏଇ ଦେଖ ଖାଲି ହାତ!

 

ଡହଡହ ଜୀବନ ଖରାରେ

ଦିନେ ମାଗିଥିଲି ଆକାଶକୁ

ଏମିତି ଟୋପେ ବର୍ଷା

ଝର୍‌ଝର୍ ଝରିପଡ଼ିଥିଲା

ବୈଶାଖର ବିଳାପ

 

ଗୀତଖାତାର ଗୀତ

ଗୁଣ ଗୁଣେଇବା ବେଳେ

ଚିତ୍କାର କରିଥିଲା

ଆତ୍ମା ଆଉ ଅତୀତ ॥

 

ଝରଣାର ସୁଅ

ନଦୀର ନିନାଦ

କୋଇଲିର କୁହୁକୁହୁ

ବଡ଼ ଖଞ୍ଜରେ ଖଞ୍ଜି

ସଜେଇଥିଲି ଜୀବନ,

ଦଲକାଏ ପବନ ଢେରଥିଲା

ଭାଙ୍ଗିବାକୁ ସ୍ୱପ୍ନ ॥

 

ଏବେ ଆଉ କ’ଣ ନେବ ?

ତଥାପି,

ନେବ ଯଦି ନିଅ

ଆଞ୍ଜୁଳାଏ ଦୁଃଖ

ଟିପେ ଯାନ୍ତବ୍ୟ ଯନ୍ତ୍ରଣା

ଅନ୍ଧକାରମୟ ଭବିଷ୍ୟତ

କରୁଣ ରାଗରେ ପ୍ରସ୍ତୁତ

ବିଫଳତାର ଗୀତ

ଓ ଅବଶିଷ୍ଟ ଆୟୁଷ

 

ନଚେତ ଫେରିଯାଅ

ହେ ମୋର ପ୍ରିୟ ମଣିଷ !

-୦-

 

ଯେଉଁମାନେ ଦିନସାରା ଖରାରେ ଖଟିଛ

 

ଯେଉଁମାନେ ଦିନସାରା

ଖରାରେ ଖଟିଛ

ଫୁର୍‌ସତ୍ ମିଳିଲେ

ଟିକେ ଛାଇରେ ବସିପଡ଼ !!

 

କ’ଣ ନବ ହୋ ଜୀବନରେ ?

ବାଆକୁ ବତା ସାର.

ଆମ୍ବୁଲ ଖଟା, ବେଲେ ଭାତ

ମୁନ୍ଦେ ତୋରାଣିରେ

ଉଚ୍ଛୁଳେ ସଂସାର

ଘୋଡ଼ାଗାଡ଼ିର ଜୀବନ

କେଁ କଟର ସେମିତି ଚାଲିବ ମ

ଏବେଳରେ

ଆତୁରତା ବି ଠିକ୍ ନୁହଁ !

 

ଜୀବନ ଝୁଲୁଛି ଏବେ ପରା

ସୂତା ଖିଅରେ

ମଦନା ବାରିକ ଯିବାର

ଅଢ଼େଇ ଦିନରେ

ମରିଗଲା ସୁରଟରେ

ରଖିଛ କି ଖବର ?

 

ଦୁଇମୁଠା ଭାତ ପାଇଁ

ଏତେ ନାଟ

ପୂରୁ ନପୂରୁ ପେଟ

 

କଠାଏ ବିଡ଼ି ଧୂଆଁଠୁ

ଅଧିକ କ’ଣ ଜୀବନ ?

ନା, ଯନ୍ତ୍ରଣାରୁ ମୁକ୍ତିଦିଏ

ଟିପେ ମଲମ ?

 

ଫୁର୍‌ସ୍ୱପ୍ନ

ଫୁର୍‌ସମ୍ଭାବନା

ଫୁସରକାର !!

 

ଯା’ ମ,

ସେମିତି ଜୀବନଠୁ

ବେଶ୍ ଭଲ ନୁହେଁ କି ମରଣ ?

 

ଭାଇମାନେ ମୋ କଥା ଟିକେ

କାନଡ଼େରି ଶୁଣ !

ଅନେକ କିଛି କହିବାର ଅଛି, ଶୁଣିବ ?

 

ହ, ନଶୁଣିଲେ ନଶୁଣ ମ

ଚାଲିଲି ସୁର ଧରିବାକୁ କବିତାର

ଯଦି ଶୁଣିବ ସୂର୍ଯ୍ୟଅସ୍ତ ଯାଏଁ

ଅପେକ୍ଷା କରିପାର ॥

-୦-

 

ମଣିଷ ହାଟ

 

ହାଟ ବସିଛି ହାଟ

ମଣିଷ ହାଟ!

ନେବ କି ନିଅ

ଆଳୁ ପିଆଜ ଦରରେ

 

ପୂରା ତିନି ମାଙ୍କଡ଼ ତ

ସବୁ ଦେଖେ କିଛି ଦେଖେନା

ଅନ୍ଧ ନୁହେଁ

ସବୁ ଶୁଣେ କିଛି ଶୁଣେନା

କାଲ ନୁହେଁ

ସବୁ କହେ କିଛି କହେନା

ମୂକ ନୁହେଁ.

 

ପେଟ ପାଇଁ

ବନ୍ଦ କରିଦେଇଛି ଆଖି

ବୁଜି ଦେଇଛି କାନ

କାଟି ଦେଇଛି ଜିଭ

ରକ୍ତ ଚୋଷ କି

ଜୀବନ ନାଶ

ମିଳିଯାଉ ଭାତ ॥

 

ବଦଳିଲାଣି ଦୁନିଆଁ

ସରକାର କରିଲେଣି

ଯୋଜନା ପରେ ଯୋଜନା

ତଥାପି ସହଜ ହେଉନି

ପେଟକୁ ଦୁଇମୁଠା ଦାନା ॥

 

ହାଟରେ ହାଟେ ମଣିଷ

ପୁରୁଷଠାରୁ ତିର୍ଲା ପିଲାଯାଏଁ

ନେବ ଯଦି ନିଅ ମନ ମାଫିକ୍‌

ଗୋଟେ ଦିନର ଦରଜା

ତମ ପାଇଁ ଖୋଲା,

ମାର କି ତାର

ତମ ହାତରେ ଜୀବନ

ଥାଉ ବା ନଥାଉ ମନ ।

 

ନିଅ ହୋ ମଣିଷ ନିଅ

ବସିଛି ମଣିଷ ହାଟ

ଗୋତି ପାଇଁ ନିଅ

ରାତି ପାଇଁ ନିଅ

ଘର ପାଇଁ ନିଅ

ପର ପାଇଁ ନିଅ

ମାଟି ପାଇଁ ନିଅ

କି ଖଟି ପାଇଁ ନିଅ

ନିଅନିଅନିଅ

ଦାନା ଦିଅ, ଦାନା ଦିଅ ॥

 

ହୋ ମଣିଷ

ବସିଛି ମଣିଷ ହାଟ !

-୦-

 

କାନ୍ଦକାନ୍ଦ ମଣିଷ

 

ହୋ ମଣିଷମାନେ !

ବର୍ଷ ବର୍ଷ ଧରି ଖୋଜିଲ

ପୂର୍ବଜଙ୍କ ଇତିହାସ

ମାପିଲ ମାନଦଣ୍ଡରେ

ସେମାନଙ୍କ ଜୀବନଶୈଳୀ

କାରୁକାର୍ଯ୍ୟ ନିପୁଣତା

କର୍ମ ପ୍ରବଣତା

ଜୀବନ ଜୀବିକା,

ତାଲିକା ପ୍ରସ୍ତୁତ କଲ ବି

ରାତିରାତି ଧରି ଉଜାଗର ରହି

କ’ଣ ପାଇଲ-

ପାଇଲ କି କିଛି

ଜୀବନକୁ ଜୀବନ ପରି ବଞ୍ଚିବାର ସୂତ୍ର ?

 

ଜାଣେ,

କାହିଁ କେତେ ବର୍ଷ

ଅନିର୍ଦିଷ୍ଟ ପ୍ରାପ୍ତିର ଆଶାରେ

ଖର୍ଚ୍ଚ କଲ ବୁଦ୍ଧି, ବଳ,

ସମୟ, ସାମର୍ଥ୍ୟ

ଅପର୍ଯ୍ୟାପ୍ତ ସମ୍ପତ୍ତି ବି,

କ’ଣ ସବୁ ପାଇଲ ତମକୁ ହିଁ ଜଣା,

ସାଧ୍ୟମତେ ସାଇତିଲ ଅତୀତକୁ

ଆଉ କିଛି ହେଲା କି ?

ମିଛରେ ଖାଲି

ଅତୀତକୁ ନେଇ ଗର୍ବରେ ମାତିଲ ଯାହା

 

ସେଇ ଖୋଜିବାରେ

ଖୋଜିଲ କି କେବେ

କାନ୍ଦ କାନ୍ଦ ମଣିଷର

ନିର୍ମମ ଇତିହାସ

(ପାଇଗଲେ ପାଇଯିବ

ଜୀବନର ଗୁଢ଼ ରହସ୍ୟ)

ଯେ ଜୀବନ କହିଲେ ବୁଝେ

ଦୁଇ ଓଳି ଦୁଇ ମୁଠା ଅନ୍ନ,

ଖୁସି କହିଲେ ବୁଝେ

ଅସୁକୁଣିଆ ମୁହଁରେ

ଚିରୁଡ଼ାଏ ହସ,

ସଂସାର କହିଲେ-

ତା’ ଲାଗି ଦୁଇ ଚାରି ପିଲାର ବୋଝ

ଆଉ ବସ୍ତିରେ ଛିଣ୍ଡା ଜରିଲଗା ଘର

ସ୍ୱପ୍ନ କହିଲେ-

ଦିଶିଯାଏ ଝିଲିମିଲି ଆଲୁଅ ସହରେ

କାହାର ହାତଟେକା ଅଇଁଠା ପତର !

 

ତମେ ଜାଣିଛ କି

ସେ ବିକି ଦେଇପାରେ

କେଇଟା ଟଙ୍କାରେ ତା’ର ଛୁଆକୁ,

ବହୁ ଶସ୍ତା ଦରରେ

ନିଲାମ କରିପାରେ ଯୌବନକୁ,

ସମସ୍ତ ଯନ୍ତ୍ରଣାକୁ

ଭାଗ୍ୟ ଲେଖା ବୋଲି ଧରିନେଇ

ଶୋଇଯାଇପାରେ ନିଶ୍ଚିନ୍ତରେ,

ଭୋକକୁ ମାରିପାରେ

ତେନ୍ତୁଳି ମଞ୍ଜି,

ଖଜୁରି କନ୍ଦା,

ଟାକୁଆ ଜାଉ,

ହାଣ୍ଡିଆ, ମହୁଲି ନିଶାରେ,

ତା’ କଅଁଳ କିଶୋରୀକୁ

ଭେଟି ଦେଇପାରେ ଖୁସିରେ ଖୁସିରେ

ଦଲାଲ ହାତରେ,

ପରିବାର ଛାଡ଼ିଦେଇ ଯାଇପାରେ

ଦୂରେ ବହୁ ଦୂରେ

ରୋଜଗାର ଆଶାରେ.

 

କେବେ ଖୋଜିଛ କି ?

ଏବେ ଖୋଜିବ ତ ଖୋଜ

ସେଇ ହସହସ ମୁହଁ ତଳେ

କାନ୍ଦକାନ୍ଦ ମଣିଷର ସ୍ୱର

ଯା’ ଶୁଣିଲାପରେ

ତମ ପଥରର ଛାତି

ହୋଇଯାଇପାରେ

କମଳ ପରି କୋମଳ ଆଉ

ବିନା ଶବ୍‌ଦରେ ହେଇପାରେ ଦୁଇଫାଳ ॥

-୦-

 

ଦୁଃଖ ଦୋସ୍ତ

 

ଦୁଃଖକୁ

ଚିପୁଡ଼ି ଦେଇଛି ଶବ୍‌ଦରେ

ଗୁନ୍ଥିଛି କବିତା-

ପଢ଼ିବ ଯଦି ପଢ଼

 

ଦଲ୍‌ଦଲ୍ ଦୁଃଖ କ’ଣ

ଗୋଟେ ପକ୍ଷୀ ଯେ ଉଡ଼ିଯିବ

ହେ ହେ କହୁ କହୁ ବା

ହୁର୍‌ର୍ କରି

ହୁରୁଡ଼େଇ ଦେଲେ

 

ସେଲାଗି ସାଇତିଛି

ମନର ଠଣାରେ

ଯେତେ ସବୁ ଦୁଃଖର କଥା ଓ କବିତା ॥

 

ଖାଲି ସେତିକି ନୁହେଁ ମ

ଯନ୍ତ୍ରଣାର କାର୍ବାଇଟ୍ ଦେଇ

ପଚଉଛି ସେମାନଙ୍କୁ,

ସଖା ସୋଦରଙ୍କ ମେଳରେ ବା

ହାଟ ବଜାରରେ

ମୌକା ମିଳିଲେ ବି

ଖର୍ଚ୍ଚ କରୁନି ଶସ୍ତାରେ

 

ସବୁକୁ ସିଲ୍‌ମାରି

ଥୋଇ ଦେଇଛି ଯାହା

ପିଞ୍ଜରା ତଳ ଡୋଲିରେ ॥

 

ଫି’ ଦିନ ଆସୁଛି

ଦୁଃଖର ସୁନାମୀ

ସୁ ସୁ ବୋହୁଛି ଅଣଚାଶ

ରଟୁଚି ଅନେଶତ ବାତ୍ୟାର ତାଣ୍ଡବ

ବିନା ଶବ୍‌ଦରେ

ଭାଙ୍ଗିଯାଉଛି କେତେ କ’ଣ ?

କିଏ ବା ଦେଖୁଛି ?

ଖାଲି ଛାତି ତଳେ ଉଠୁଛି ଯା’

ଏକ ଊର୍ଦ୍ଧ୍ୱଶ୍ୱାସ

 

ଜାଣିଛି-

ହରପ୍ରସାଦ ଚୌରାସିଆଙ୍କ

କରୁଣ ରାଗର ବଂଶୀସ୍ୱନ

ବିର୍‌ଜୁ ମହାରାଜଙ୍କ

କଥାକୁହା ପାଦ ଝୁମ୍‌କାର ନିକ୍ୱଣ

ଜାକିର୍ ହୁସେନ୍‌ଙ୍କ

ତବଲାର କମ୍ପନଠାରୁ

କ’ଣ ବେଶ୍ ଗାଢ଼ ଜୀବନ ?

 

ଏଇ ଦେଖ

ମୁଁ ସେମିତି ଛିଡ଼ା ହେଇଛି

ପହଁରୁଛି ଲୁହର ସମୁଦ୍ର

ଗାଉଛି ଲହୁର ଲାଳିକା

ସବୁ ନିର୍ବିକାର ସହୁଛି

ଦୁଇଧାଡ଼ି କବିତାର ଆଶ୍ୱାସନାରେ

ଗଡ଼େଇ ଦେଉଛି ଦୁଃସମୟକୁ

ଘରର ପିଣ୍ଡା ତଳକୁ

 

କିଛି ଗୋଟେ ହେବାର ନ୍ୟାୟରେ

ଦୁଃଖକୁ ଦୋସ୍ତ ବନେଇ

ହାତ ଟେକି ଦେଇଛି. !!

-୦-

 

ସ୍ୱାଗତ ତୁମକୁ ଜୀବନ

 

ଦୁଃଖର ଧୂପ

ଯନ୍ତ୍ରଣାର ଦୀପ

କୋହର ଅଗୁରରେ

ସ୍ୱାଗତ ତୁମକୁ ଜୀବନ !

 

ଆଉ ଡରଉଛ କ’ଣ ?

 

ମୁଁ ବେଶ୍ ଭଲରେ ଅଛି

ଖୁସିରେ ଅଛି

ମଜାରେ ଅଛି

ଜୀବନ ଜୀଉଁଛି !!

 

ସକାଳରୁ ଗୋଟେଇ ଆଣିଛି

ନିରୀହପଣର ଭାଷା

ମାଟିର ମହକରୁ ମାଗି ଆଣିଛି

ଉଦାରପଣର ନିଶା

ପକ୍ଷୀଠାରୁ ଶିଖିନେଇଛି

ବିନମ୍ର ହେବାର ଗୁଣ

ଝରଣାର ଝନତ୍‌କାର

ବତେଇ ଦେଇଛି

ବୋହିଯିବାର ସରଳ ସୂତ୍ର ॥

 

ଆଉ କ’ଣ ଶିଖିବାର ଅଛି କହୁନ ?

ସ୍ୱାଗତ ତୁମକୁ ଜୀବନ !

 

ଗଡ଼ଗଡ଼ିଆ ଘାଟରେ

ଗଡ଼େଇ ଦେଇଛି

ଅଢ଼େଇ ଦିନିଆ ଦୁଃଖକୁ,

ନଅ ନମ୍ବର ଶ୍ମଶାନ ଘାଟରେ

ଉଜେଇଁ ଦେଇଛି

କୋରି ଖାଉଥିବା ଶୋକକୁ

ସାତ ସମୁଦ୍ର ତେର ନଈ

ସେପାରି ବୋଲି

ଧରି ନେଇଛି ସୁଖକୁ

ରକ୍ତକୁ ପାଣି ଫଟେଇ ଲଢ଼ୁଛି ସଂଗ୍ରାମ

ସ୍ୱାଗତ ତୁମକୁ ଜୀବନ !

 

ଆଉ କ’ଣ ବାକି ଅଛି ?

ସ୍ନେହ, ପ୍ରେମ,

ସୁଖ, ଶୋକ, ସନ୍ତାପକୁ ଏଡ଼େଇ

ସବୁକିଛି ନିର୍ବିକାର ସ୍ୱୀକାର କରି

ହୃଦୟରୁ ହଁରେ ହଳନ୍ତ ଦେବାପରେ

ମର୍ତ୍ତରେ ବି କରୁଛି ଆଜି ସ୍ୱର୍ଗର ଭ୍ରମଣ ॥

 

ବେଶ୍ ହେଲା ଭାଷଣ

ଭଙ୍ଗାଭଙ୍ଗା ସ୍ୱପ୍ନ

ଲକ୍ଷ୍ୟହୀନ ଭବିଷ୍ୟତ

ଅପ୍ରାପ୍ତିର ଅଣନିଃଶ୍ୱାସରେ ବି

ତଥାପି ସ୍ୱାଗତ ତୁମକୁ ଜୀବନ !

-୦-

 

ରାତି ସାରା ବର୍ଷା

 

ରାତି ସାରା ବର୍ଷା

ଆଖିରେ ନିଦ ନାହିଁ

କିଏ ଜଣେ ଗାଉଛି ଗୀତ

ବାଜୁଛି ପବନର ସୁରେ ସାହାନାଇ ॥

 

ଶହେ କୋଷ ଦୂରରେ

ବାର୍ଦ୍ଧକ୍ୟର ବଗିଚାରେ

ଏକା ଏକା ମା’ ମୋର

ସେଠାରେ ବର୍ଷା,

ବନ୍ୟା କି ବାତ୍ୟା

ଖବର ଟିକେ ହେଲେ ନାଇଁ,

ଆଖିବୁଜି ନିଶ୍ଚିନ୍ତରେ

ଶୋଇପଡ଼ିଥିôବ ପତ୍ନୀ ଏବେଳରେ

ଆଉ କୁନିଝିଅ

ପଡ଼ିଥିବ ସ୍ୱପ୍ନରେ ଘୁମେଇଁ ॥

 

ସହରଟା ବି ନିଦ୍ରା ଯାଇଥିବ ନିଶ୍ଚେ

ସମୟକୁ ଢେରା ଦେଇ

କିଶୋର ଲେଖୁଥିବ ଯା’

ଏ ନିଶୁନ୍ ରାତିରେ

ରାତି ସାଥେ ଗପିଗପି

କଥା ଓ କବିତା,

ବୋଧହୁଏ ସେ ଏକା

ଶବ୍‌ଦର ମାୟାରେ

ରହିଥିବ ଚେଇଁ ॥

 

ଏଇ ଛକ ଡେଇଁଗଲେ

ବାମପଟ ସେଇ ଯେଉଁ

ଦିଶୁଛି ଚାଳିଆ ଖଣ୍ଡିକ

ସେଠି ରହେ କଲେଇର ମା’

ଏ ବର୍ଷା ପବନ ଭାଙ୍ଗି

ଦେଇଛି ତା’ ଘର,

କେମିତି ସେ ଥିବ ଆଜି ରାତି

ଆକୁଳ ଭରା ତା’ ମୁହଁ

ଅନ୍ଧାରରେ ଦିଶିଯାଏ ଯା’ ଖାଲି ଜଳଜଳ ॥

 

ଗଣ୍ଡୁଣୀ ବୁଢ଼ୀ କହୁଥିଲା-

ଦେହରେ ତା’

ଗତକାଲି ଠାରୁ

ଖଇଫୁଟା ଜର

ପାଖରେ କେହି ଜଣେ ହେଲେ ନାହିଁ,

ଏ ବର୍ଷା ରାତିରେ

କ’ଣ କିଛି ଖାଇଲା

ଟିପେ ଜଣାଗଲା ନାହିଁ ।

 

ତୁହାକୁ ତୁହା

ରାତି ସାରା ବର୍ଷା

ଆଖିରେ ମୋ ନିଦ ଜମା ନାହିଁ

ବେଙ୍ଗ ଆଉ ଜଳଚର

ଜୀବଙ୍କର ଶବ୍‌ଦ

କୁକୁରର କୁଁ କୁଁ ଆବାଜ୍‌

ଛାତିକୁ ମୋ ଦେଉଛି ଥରାଇ

 

ମୁଁ ବୁଡ଼ିଛି ଏବେଳରେ

ନୂଆ ଖିଆଲରେ

ବର୍ଷା ସାଥେ ବାର୍ତ୍ତାଳାପ କରି,

 

ତଥାପି କବିତା ପଦିଏ

ଭାଗ୍ୟରେ ଜୁଟିଲା ନାହିଁ ।

-୦-

 

ବାତ୍ୟା

 

ଅନଭ୍ୟସ୍ତ ହାତରେ

କେଉଁ ଚିତ୍ରକର

ଆଙ୍କି ଦେଇଛି ଚିତ୍ର

ତାକୁ ବୁଝିବାକୁ

ବାହାରିଛୁ ଯେ

ପାଉନୁ ଥଳକୂଳ... ॥

 

ନଈବଢ଼ି, ବନ୍ୟା, ବାତ୍ୟାର ଦୃଶ୍ୟ

ବେଶ୍ ଭଲ

ରଚନା ଲେଖିବାକୁ

କୁନି ପୁଅର

ତଥାପି ଅଭିଯୋଗ

ବାତ୍ୟାଟା କେମିତି ?

ପୁଅ ବାହାରିଛି ଦେଖିବ... !

 

ଜଳ, ଜୀବନ, ଯନ୍ତ୍ରଣାକୁ

ଏକାଠି ଉକୁଟେଇ

ଫୁଟେଇ ଦେଇଛି ଜଳଛବି

କେଉଁଠି ଗାଢ଼ ରଙ୍ଗର

ଗଭୀର ରଚନା ତ

ଆଉ କେଉଁଠି

ଇଲିବିଲା ଚିତ୍ରିତ ଚିତ୍ରର ବର୍ଣ୍ଣାଳୀ ॥

 

ତଥାପି କେଉଁଠି କେଉଁଠି

କଞ୍ଚା ହାତର ସ୍ପର୍ଶରେ

କଦାକାର କର୍କଶ କବିତାର ଛିଟା,

ବନ୍ଦ ହେଇଯାଉଛି ଆଖି

ଫାଟି ପଡ଼ୁଛି ନାକ

ଶୀତଳେଇ ଯାଉଛି ଶରୀରର ପ୍ରତିଟି ଅଙ୍ଗ

ଘୂରିଯାଉଛି ମୁଣ୍ଡର ପ୍ରତିଟି ତନ୍ତ୍ରୀ...।।

 

ଶୁଭୁଛି, ଅସହିଷ୍ଣୁ ଆତ୍ମାର ବିଳାପ

ରହିରହି ଡାକୁଛି କିଏ ଜଣେ

ଆସ, ଆସ ଏଇଠିକୁ,

ଭୋକର ଭୂଗୋଳ

ଆଙ୍କିବାକୁ ବସିଛି ଯେ

ଶବ୍‌ଦ ସବୁ ଛୁ...

ତଥାପି ସରୁନି

ପାଣି, ପବନ, ପରିବେଶର

ବିଚିତ୍ର ଖେଳ !

 

ଆଗକୁ ଲମ୍ବିଛି ଜୀବନ

ଅନ୍ଧାର ପୁଣି ଧୂସର, ଧୂମିଳ, ଧୂମ୍ରାଭ

ଖାଁ ଖାଁ ନିରବତା

କିଏ ଜଣେ ଏବେଳରେ ମଗ୍ନ

ତିଆରିବାରେ କରୁଣ ରାଗର ଧୁନ୍ ॥

 

ନା, ଜମାରୁ ବୁଝି ହେଲାନି

ବାତ୍ୟାର ବ୍ୟାକରଣ !!

-୦-

 

Unknown

କାନ୍ଦକାନ୍ଦ ମଣିଷ-୨

 

ଛଳଛଳ ଧାଡ଼ିଏ କବିତା ପରି

କାନ୍ଦକାନ୍ଦ ମଣିଷ...

 

ଦଲ୍‌ଦଲ୍ ଆତ୍ମୀୟତାରେ

ଖୋଲିଯାଏ ପରସ୍ତ ପରସ୍ତ

କଥା, କାହାଣୀ ଓ ଗପ ॥

 

କା’ ଆହା ପଦରେ

ପାଇଯାଏ ଆଶ୍ୱାସନା

ଫିଟିଯାଏ ଫୁଲର ପାଖୁଡ଼ା ପରି ସେ...।।

 

ଝରଣାର କୂଳୁକୂଳୁ ଗୀତରେ

ଦୁଃଖ ସବୁ ବୋହୁଥାଏ

ଶୁଣିଲେ ସେ ଗୀତର ସୁର

ଛାତି ତଳେ ଅତଡ଼ା ଖସାଏ ॥

 

ପ୍ରତିଶ୍ରୁତିର ପ୍ଳାବନରେ

ପଢ଼ି ହେଇଯାଏ

ତା’ ଯେତେ ସବୁ ଅଦୃଶ୍ୟ, ଅସ୍ପଷ୍ଟ

କଳାକଳା ଭାଷାକ୍ଷର ସବୁ...

 

ଦୁଃସହ ସମୟ

ପୁଣି ନିର୍ବିକାର ଚିତ୍ତ

ଦିଶେ ଫୁଲପରି ତା’ ହସ,

ନିରୁତା ମଣିଷର

ମାପକାଠିରେ ସେ

ଉତୁରି ଆସେ ଶତପ୍ରତିଶତ ॥

 

ଲୁହର ସମୁଦ୍ର

କୋହର ସାମ୍ରାଜ୍ୟରେ

ସେ ଏକ ସୁଖୀ

କାନ୍ଦକାନ୍ଦ ମଣିଷ,

ପଢ଼ିବ ଯଦି ପଢ଼

ଭାଇମାନେ ପଦେ ଅଧେ

ତା’ ରକ୍ତାକ୍ତ ଇତିହାସ ॥

-୦-

 

ଫାଳେ ଅନ୍ଧାର

 

ଫାଳେ ଅନ୍ଧାରକୁ

ପଛକରି ଚାଲିଆସିଲି

ଏତେ ବାଟ,

ଏବେ ଅନ୍ଧାରର ଇତିହାସ

ଖୋଜିବାକୁ ବାହାରିଛି ଯେ

ପାଉନି ବାଟଘାଟ !!

 

ପହିଲେ ଦୂରେଇଲେ

ନିଜଲୋକ

ଭାଇ, ବନ୍ଧୁ, କୁଟୁମ୍ବ

ଆତ୍ମୀୟ ସୋଦର

ତା’ପରେ ହଜିଗଲା

ଛାଇ ଆପଣାର ॥

ସଂସାରକୁ ସଜେଇଲି

ମନପ୍ରାଣ ଦେଇ

ମର୍ତ୍ତ୍ୟରେ ତୋଳିବାକୁ ସ୍ୱର୍ଗପୁର...

 

ମୁଁ କେଡ଼େ ବୋକା ସତେ !

ଜାଣିପାରିଲିନି

ରାଜୁତି ଚାଲିଛି ଏଠି ପରା

ସେଇଦିନୁ ପାପର ॥

 

ସଂସାର ବି ହେଲାନି ସଂସାର...

 

ସମସ୍ତେ ଗଲେ ଯେ ଗଲେ

ଆଗରେ ଅନ୍ଧାର

ପଛରେ ଅନ୍ଧାର

ମଝିରେ ନିର୍ବିକାର ମୁଁ,

ଏବେଳରେ କିଏ ଜଣେ

କହୁଥିଲା ଏଇଠି ମୁଁ ଅଛି

ଧରିବ ତ ଧର

ମୁଁ ଏକା ତୁମର...

 

କିଏ ସିଏ ?

ଏ ଟିକେ ପୂର୍ବରୁ

ଯିଏ କହୁଥିଲା କଥା,

ବୋଧହୁଏ ଫାଳେ ଅନ୍ଧାର ମୋହରେ

ବାଟହୁଡ଼ା ପକ୍ଷୀକୁ

ବାଟେଇ ନେଇଥିବା

ମୋ ରକ୍ତର ସେ

ଦି’ ଧାଡ଼ି କବିତା ॥

-୦-

 

ପାଇଲିନି

 

ଢେର ଖୋଜିଲି

ପାଇଲିନି... ॥

 

ପାଇଲିନି

ବୋଉର କୋଳ ପରି

ସୂର୍ଯ୍ୟଙ୍କ ଉଷ୍ମତା

ପବନର ଦଲକାଏ

ଶୀତଳ ସ୍ପର୍ଶ

ଅନ୍ଧାରରୁ ଟିପେ

କଳା ରଙ୍ଗର କଳା

ଗଛର ପଣତରୁ

ନିରୁତା ଛାଇ

ନଈରୁ ଟୋପେ ପାଣି

ରାତି ଆକାଶରୁ

ଚିକ୍‌ମିକ୍ ତାରା ଆଉ ଜହ୍ନ...

ହଜିଯାଇଥିବା କବିତାର

ମନଲୋଭା ଦି’ଧାଡ଼ି,

ଚହଲେଇ ଦେଉଥିବା

ପୁଞ୍ଜାଏ ଶବ୍‌ଦ

ଏପରି କି

ପ୍ରିୟ ମଣିଷର ଠିକଣା

କିଛି ବି ପାଇଲିନି...।।

 

ଧେତ୍ କହି

ଛାଡ଼ି ଦେଲି ସମୟକୁ

ବାଡ଼ିପଟ ଆମ୍ବତୋଟାରେ ଯେ

ଗୀତ ହୋଇ ଶୁଣାଗଲା

କୋଇଲି କଣ୍ଠରେ

ତାରେନାରା ତାରେନାରା...

 

କେଉଁ ବାଟରେ କମିଗଲା

ବୟସର ବ୍ୟାସ

ଲୁଚିଗଲା ଚାହୁଁଚାହୁଁ

ଯେତେକ ଲୋଭନୀୟ ମୁହୂର୍ତ୍ତ ?

 

ଆଉ କ’ଣ କରିବି କହୁନ ?

ଏବେ ପାଇଲିନି ବୋଲି କିଛି

ବୁଝେଇ ଦେଇଛି ମନକୁ

ଭାବୁଛି ଅସଫଳତାର

ଖଞ୍ଜଣି ଭଜନ ଠାରୁ

ଢେର ଭଲ ବଞ୍ଚିଯିବା

ଖୁସିରେ ଦି’ଦିନ !!

-୦-

 

ଦୁଃଖକୁ ଚିହ୍ନିବ ଆସ

 

ଯେଉଁମାନେ ଦୁଃଖକୁ ଚିହ୍ନିନ

ଦୁଃଖକୁ ଚିହ୍ନିବ ଆସ !

 

ପବନରେ ଭାସି ବୁଲୁଥିବା

ଭଅଁରମାନେ ଟିକେ ରୁହ

ଝରୁଥିବା ଝର୍‌ଝର୍ ଝର୍ଣ୍ଣା

ଗୀତ ଗାଇବା ଟିକେ ବନ୍ଦକର

ଭୋ ଭୋ ଭୋକୁଥିବା

ଗଳିର କୁକୁରମାନେ

ଟିକେ ଥୟ ଧର...

ଭୋକରେ ଥିବା ଭିକାରିମାନେ

ଆଉ ଟିକେ ଅପେକ୍ଷାକର

ଦୂରେଇ ରୁହ ଫୁଲଠୁ

ପ୍ରଜାପତିମାନେ...

ଅପମାନ ମୁଣ୍ଡେଇ

ସ୍ୱାଭିମାନକୁ ସାଞ୍ଜୁକରି

ବଞ୍ଚୁଥିବା ମଣିଷଙ୍କୁ

ଛିଡ଼ା କରେଇ ଦିଅ

ବିଚ୍ ରାସ୍ତାରେ...

ଝାଳର ଝୋଳରେ

ମାଟି କାନ୍ଥରେ

ଝୋଟି ଆଙ୍କୁଥିବା

ମେହନତି ମଣିଷର

ଶୋଷି ଆଣ ବାକିତକ ରକ୍ତ...

ସାରିଦିଅ ବୟସର ବୋଝକୁ

ଖରାର ଖସଡ଼ାରେ

ନାନା ବାଗରେ...

 

ଛଡ଼େଇ ନିଅ ଦାନା

ପକ୍ଷୀର ଚଞ୍ଚୁରୁ,

ବୃଦ୍ଧଠାରୁ ଘେନି ଆସ

ଆଶ୍ରା ସାଜିଥିବା ଆଶାବାଡ଼ି,

ନାଉରି ସାଜି ଅଧା ନଈରେ

ବୁଡ଼େଇ ଦିଅ ଡଙ୍ଗା ॥

 

ଚାଲ ଘୂରିଆସ ଥରେ

କଳାହାଣ୍ଡି, କୋରାପୁଟ କି କନ୍ଧମାଳ

ଆତ୍ମହତ୍ୟାରେ ମଗ୍ନ ଅଛି ଚାଷୀ

ପିଲା ବିକ୍ରି, ତିର୍ଲା ବିକ୍ରି ବି

ଅଣ୍ଟା ତାଙ୍କ କରିପାରିନି ସଳଖି...

 

ସେତିକି ଥାଉ ଦୁଃଖ ଦୁଆତରୁ

କାଳି ନେଇ କବିତା ଚାଷ,

ତାକୁ ଏବେ ଛାଡ଼ିଦିଅ ବାଟ

ନା କ’ଣ କହୁଛ !

-୦-

 

ବତିଶ ବର୍ଷୀୟ ବେକାର ପୁଅ

 

ବତିଶ ବର୍ଷୀୟ ବେକାର ପୁଅ

କେମିତି କାଟେ ରାତି

କେମିତି କାଟେ ଦିନ

ତାକୁ ଜମା ପଚାରନି !

 

ସିଏ ହିଁ ଗଣିଦେଇପାରେ

ଦୁଃଖି ପକ୍ଷୀ ଶାବକର ଡେଣା

ଜାଣିଦେଇପାରେ ମନତଳ କଥା

ପଢ଼ି ଦେଇପାରେ ଛାତି ତଳ ବେଦନା ॥

 

ସିଏ ହିଁ କଷିପାରେ

ଫାଳେ ଜୀବନର ଜ୍ୟାମିତି

ବୋହିପାରେ

ଅସଫଳତାର ବୋଝ

ସାଇତି ରଖିପାରେ

ଯେତେକ ଅଭୁଲା କାହାଣୀ ॥

 

ତାକୁ ଜମାରୁ ପଚାରନି

ଦିନ ସାରା କୁଆଡ଼େ ଯାଏ ସେ

କ’ଣ କରେ,

କ’ଣ ଖାଏ

କ’ଣ ପିଏ

କେଉଁଠି ରହେ

ଘୋ ଘୋ ଦି’ପହରରେ...।।

 

ରାତିସାରା କ’ଣ କରେ

ବତିଶ ବର୍ଷୀୟ ବେକାର ପୁଅ

ସକାଳେ କାହିଁକି

ଡେରିରେ ବିଛଣା ଛାଡ଼େ,

କେମିତି ସହେ ଅପମାନ

କେମିତି ସହେ ଆହାପଦ

ଆଉ ସମସ୍ତଙ୍କ ଟାହିଟାପରା,

ଶୀତଳେଇ ଯାଏ କେମିତି

ତା’ର ଗରମ ଖୁନ୍‌,

ପ୍ରତିବାଦ ରହିଯାଏ

କିପରି ତା’ ମନ ତଳେ,

ନଇଁଯାଏ କାହିଁକି

ସବୁ କଥାରେ ତା’ ଆଖି ॥

 

ତାକୁ ଜମାରୁ ପଚାରନି

କାହିଁକି ମିଳେନା ତାକୁ ଚାକିରି,

ଠିକ୍ ସମୟରେ

କଟାହୁଏନି କାହିଁକି ଦାଢ଼ି,

ଆଜିକାଲି କେମିତି ରହେ ସେ ଏତେ ଚୁପ୍‌

କ’ଣ ସବୁ କଥା ହୁଏ

ଏକାଏକା ଏକାନ୍ତ ମୁହୂର୍ତ୍ତେ

ନିତି ରାତି କ’ଣ ସବୁ ଲେଖେ

ଡାଇରି ପରେ ଡାଇରି

କେଉଁ ଗୀତଗାଏ ମନେମନେ

କ’ଣ ସବୁ ମନ ତଳେ ସ୍ୱପ୍ନ ବୁଣେ ?

 

ପ୍ଲିଜ୍‌,

ବତିଶ ବର୍ଷୀୟ ବେକାର ପୁଅକୁ

କିଛି ବି ଆଉ ପଚାରନି !

-୦-

 

ଭାବୁଛି ଆଉ ଲେଖିବି ନାହିଁ କବିତା

 

ଭାବୁଛି,

ଆଉ ଲେଖିବି ନାହିଁ କବିତା...

ବେକାର ପୁଅର

ଚୁପ୍‌ଚାପ୍ ନିରବତାକୁ ନେଇ

କଷି ଚାଲିବି

ଜୀବନର ଅଙ୍କକଷା...

 

ଚିଠି ଦେଇଛି ବୋଉ

ମାହାପ୍ରୁ ଆସିଥିଲେ ଘରକୁ,

ଏ ବର୍ଷଟା କୁଆଡ଼େ ଜମାରୁ

ଭଲ ନାଇଁ ମୋର,

କାଳବେଳା ସାଙ୍ଗକୁ ରହିଛି

ଘାତଚନ୍ଦ୍ର ଯୋଗ...

 

ଏଥିରୁ ମୁକୁଳିଲେ

ଜୀବନ କୁଆଡ଼େ

ଚାଲିବ ସୁରୁଖୁରୁରେ,

ଅଭାବ ରହିବ ନାହିଁ

ପେଟ ଚାଖଣ୍ଡକୁ...

 

ମାନସିକ କରିଛି

ମୋ ପହିଲି ରୋଜଗାର ଯିବ

ମାହାପ୍ରୁଙ୍କ ପୂଜା

ବ୍ରାହ୍ମଣ ଭୋଜନ

ଆଉ ଦାନ ଦକ୍ଷିଣାରେ...।।

 

ଆହୁରି ଲେଖିଛି

ଦରକାର ହେଉଛି ଟଙ୍କା

ବନ୍ଧା ପଡ଼ିଥିବା ଜମି

ମୁକୁଳାଇବା ପାଇଁ ଯେ,

ହାତ ଉଦ୍ଧାରି କରିବାକୁ

କରୁଛି ଯୋଜନା ॥

 

କହିଛି, ଚିନ୍ତା କରିବାର କିଛି ନାହିଁ

ଆର ସନକୁ ସାନ ଭଉଣୀକୁ

ଯେନତେନ କରିଦେବା ବୋଲି ବିହା ॥

 

ଆଉ ସବୁ ଭଲ

ତା’ ପାଇଁ ବ୍ୟସ୍ତ ନହେବାକୁ

ଲେଖିଛି ବାରବାର...

 

ଗତ କେତେ ବର୍ଷ ହେଲା

ଏମିତି ମାହାପ୍ରୁ

ଦେଇ ଆସୁଛନ୍ତି ଅଭୟ,

ବୋଉ ଫି’ଥର ଆଶା ବାନ୍ଧୁଛି

କିଛି ବି ହେଉନି...!!

 

ମୁଁ କୁଳାଙ୍ଗାର ପଡ଼ିଛି

ଶହେ କୋଷ ଦୂରରେ

ମାଟି କାମୁଡ଼ି

ଚାକିରି ଆଶାରେ

ବୁଡ଼ି ଯାଉଥିବା ଲୋକର

କୁଟାଖିଅକୁ ଆଶ୍ରା କଲା ଭଳି ॥

 

ବତିଶ ବସନ୍ତ ଅତିକ୍ରାନ୍ତ ପରେ

ନା’ ସଜେଇ ପାରିଛି ଜୀବନକୁ

ନା’ ଦେଇପାରିଛି

ଦୁଇମୁଠା ଅନ୍ନ ପରିବାର ତୁଣ୍ଡକୁ,

କିଛି ବି ହେଲାନି ମୋ ଦେଇ

ସେତିକି ଯା’ ଦୁଃଖ...

 

ମୋ ଦେଇ ଆଉ କ’ଣ ହେଲା ଯେ

ରକ୍ତକୁ ଚିପୁଡ଼ି ଯା’ ଲେଖିଲି

ଦି’ପଦ ନିରୁତା କବିତା

ସାହାରା କହିଲେ ସେତିକି

ସେତିକିରେ କ’ଣ ପେଟପୂରେ ?

 

ଭାବୁଛି, ଢେର ହେଲା

ଆଉ ଲେଖିବି ନାହିଁ କବିତା !!

-୦-

 

ତମେ ଅଛ

 

ତମେ ଅଛ

ସେତିକି ଯଥେଷ୍ଟ

ମୋ ପାଇଁ...

 

ତମେ ଅଛ ତ ମୁଁ ଅଛି

ମୁଁ ଅଛି ମାନେ

ତମେ ନିଶ୍ଚୟ ଅଛ !

 

ତମେ ଅଛ

ସେଇ ନ୍ୟାୟରେ

ସହିଛି ସମୟର ସଣ୍ଡୁଆଶି ମାଡ଼,

ପିଠିରେ ବୋହିଛି

ପାହାଡ଼ ବୋଝ

ପାଦର ପା’ରେ

ଭାରଦେଇ ଧାଇଁଛି

ଶିଖିବାକୁ ଜୀବନର ଯୁକ୍ତାକ୍ଷର...

ବୁଣିଚାଲିଛି ଆଖି ବୁଜି

ଶୀତୁଆ ସ୍ନେହ

ମାଟିର ମମତା

ଆକାଶର ଆଦର,

ଗାଉଛି ଥରକୁଥର

ଜୀବନ ପଣକିଆ ଖନ୍ଦା

ମଣିଷପଣିଆର...

 

ତମେ ଅଛ

ସେଇ ଦାୟରେ

ପକ୍ଷୀମାନେ ଗାଉଛନ୍ତି ଗୀତ

ପାହାଡ଼ ଦେହରୁ ଶୁଭୁଛି

ଝରଣାର କଳକଳ ନାଦ

ପବନ ବି ବଜେଇ ଚାଲିଛି

ରାହାଧରି କେଉଁ ସୁରର ସୁର ॥

 

ଝିଲ୍‌ମିଲ୍ ତାରାମାନେ

ପକେଇ ଚାଲିଛନ୍ତି

ଆକାଶ ଦେହରେ ଝୋଟି

ଅସରାଏ ବର୍ଷାର ଆଦ୍ରତାରେ

ଉକୁଟି ଉଠୁଛି ମଧୁର ମହକ

ସବୁଜିମାରେ ହରାଭରା ଦିଶୁଛି ଧରିତ୍ରୀ ॥

 

ସୂର୍ଯ୍ୟ, ଜହ୍ନ, ଗ୍ରହ, ନକ୍ଷତ୍ର

ଆକାଶ ଛାତିରେ

ଅଳସଭାଙ୍ଗି ଉଠୁଛନ୍ତି

ଠିକ୍ ସମୟରେ,

ଲାଜକୁଳିଲତା

ଟିକେ ଛୁଆଁରେ

ଲାଜେଇ ଲୋଟୁଛି ଏଇଠି... ॥

 

ତମେ ଅଛ ବୋଲି

ସବୁ ଠିକ୍‌ଠାକ୍ ଚାଲିଛି

ସବୁ ଠିକ୍ ଅଛି !!!

-୦-

 

କ’ଣଟେ ଲେଖିଦେଇଛି ପୁଅ !

 

ଆଜିଯାଏଁ

ଯେଉଁ ସବୁ ମୁହୂର୍ତ୍ତକୁ

ଧରିରଖି ପାରିଲିନି କବିତାରେ

ତାକୁ ଲେଖିବାକୁ ବସିଛି...

 

ସତ କୁହ

କବିତା ଲେଖିବା କ’ଣ

ଏତେ ସୁଜା କଥା ଯେ

ସଜେଇ ଦେବି ଶବ୍‌ଦରେ

ସହଜରେ !

 

ଏଇ ତ ବଞ୍ଚିବାର ବ୍ୟାକରଣ ଖୋଜି ଖୋଜି

ଡୁବି ଗାଡ଼ିଆରେ

ବୁଡ଼ିଚାଲିଛି ପାଣିକୁଆ,

ଗୋଧୂଳିର ଗଜଲ ଗାଇଗାଇ

ଫେରୁଛି ଗାଈଆଳ ଟୋକା

କହ୍ନେଇ ପୁଅ ଦନିଆ !

 

କଡ଼ା ତାଗିଦା ଦେଇଛି କୁଡ଼ୁରୁ ପାଙ୍ଗୀ

ତା’ ପିଣ୍ଡା ନମାଡ଼ିବାକୁ

ହାତରେ ଧରି ଧନୁ ତୀର,

ତଥାପି ଯା’ କହିବାପରେ ବି

ଧର୍ମ ବଦଳାଇ ଫେରିଥିବା ପୁଅ (ବିଧର୍ମୀ ପୁଅ)

ଛାଡ଼ିବ ନାହିଁ କହୁଛି ଘର !

 

ଯୁଆନ୍ ଝିଅର କୁରେଇ ଫୁଲ

ଖୋସାର ମୋହରେ

ମାତିଛି ସହରୀ ବାଘ ଯେ,

ବିହା ନହୋଇ ହେଇସାରିଛି

ନିନୀ ପାଣ୍ଡ୍ରି କୁଆଁରୀ ମା’ ॥

 

ଦି’ ଟଙ୍କିଆ ଚାଉଳ

ପେଟକୁ ଦେଇଛି ଦାନା,

ଥାଉ ହୋ, ସେ କାମଫାମ

ଦେହ ଦରଜରେ ଦୁଲୁକୁଛି

ଆଜି ଆଉ ଯାଇହେବନି

ଯା’ କରିଦେ ସଫାସଫା ମନା ॥

 

ଘରବାରି ବନ୍ଧା ପକେଇ

ଅଢ଼େଇ ଲକ୍ଷ ଟଙ୍କାରେ

ଭୁବନିଶରରେ ଇଞ୍ଜିନିୟର ପାଠ ପଢ଼ୁଛି ପୁଅ

ପାଠପଢ଼ା ସରିଲାପରେ ବିଦେଶ ଯିବ

ଘର ଖଣ୍ଡିକ ମୁକୁଳିବ କି ନାହିଁ

ମା’ ଗଙ୍ଗେଇଙ୍କୁ ଯାହା ଜଣା !

 

କ’ଣଟେ ଲେଖିଦେଇଛି ପୁଅ

କାଗଜରେ ଯେ-

ସକାଳୁ ସକାଳୁ

କୁଣିଆ ମଇତ୍ର ସାଲୁବାଲୁ ଘରେ

ସଭିଙ୍କ ମୁହଁରେ ମୋ ପାଇଁ

ଅଜାଡ଼ି ହେଇ ପଡ଼ୁଛି ଆଶ୍ୱାସନା ॥

 

ଥାଉ, ସେତିକି ଥାଉ

ତା’ପର କଥା

ମୋ ପାଇଁ ଲେଖିବା ମନା ॥

-୦-

 

କିଛି ବି ବୁଝି ହେଲାନି

 

ମିଛୁଆ ରାଧୁଆର ମିଛ

ବଉଳାଗାଈର ବିଶ୍ୱସ୍ତତା

କୁମ୍ଭୀର ପିଠିରେ ମାଙ୍କଡ଼-

ଭରା ନଈରୁ ଫେରିଆସିବା କଥା

ଜମାରୁ ବୁଝିହେଲାନି...

 

ବୁଝିହେଲାନି ବି

ରାତିସାରା ଜହ୍ନ ସାଥେ

କ’ଣ କଥାହୁଏ ଅନ୍ଧାର...

ବର୍ଷ ବର୍ଷ, ମାସ ମାସ

ତାରାମାନେ ତରାଟିଥା’ନ୍ତି

ତମାମ ରାତି କାହିଁକି ?

କ’ଣ ଲେଖୁଥାନ୍ତି ସେମାନେ

ଆକାଶର ବ୍ଲାକ୍‌ବୋର୍ଡ଼ରେ

ଅନାବନା ଅକ୍ଷର,

ଚୁପ୍‌ଚାପ୍ ନିରବତା ଛାତିଚିରି

କାହିଁକି ଗାଉଥା’ନ୍ତି ଗୀତ

ବିଲୁଆ, ଝିଙ୍କାରି,

ରାତ୍ରଚର ପ୍ରାଣୀମାନେ

ମିଳିତ ଭାବେ କେଉଁ ଖୁସିରେ

ରଚୁଥାନ୍ତି ଅନ୍ତାକ୍ଷରୀ...

ଯା’ କିଛି ବି ବୁଝିହେଲାନି

ଆଜିଯାଏଁ ?

 

ସବୁଠି ଭିଡ଼ ଖାଲି ଭିଡ଼

ରାସ୍ତା ସାରା ଖାଲ,

ଢିପ ପୁଣି ମୋଡ଼...

ଗଳିରେ ଗଳିରେ ଗୀର୍ଜା

ଛକରେ ଛକରେ ମନ୍ଦିର

ଜାଣିପାରିଲିନି

ଯା’କୁ ପୂଜା କରୁଛୁ ଆମେ

ରାତି ଦିନ, ସଞ୍ଜ, ସକାଳ

ଦେଖିବାକୁ କେମିତି ସେ

ପାଉଁଶ, ପଥର ନା ଠାକୁର ?

 

ସରିଗଲା ଖେଳ

ଜମାରୁ କିଛି ବୁଝିପାରିଲିନି ବି ଏଥର !

-୦-

 

କଣ୍ଟଦେଇ ଯାଇଥିବା ମଣିଷ

 

ଯେଉଁମାନେ ଫେରିବେ ବୋଲି

କଥା ଦେଇଥିଲେ

ସେମାନେ ଫେରିଲେନି...

 

ସେମିତି ଉଡ଼ିଗଲେ

ଆକାଶର ଛାତିଚିରି

ଦଳେ ଗେଣ୍ଡାଳିଆ

ଫେରିଆସିଲା ଗୋଠକୁ

ବାଉରୀ ମା’ର ଗାଈ ବଉଳା

ସମୁଦ୍ର କୂଳକୁ ଢେଉ

ରାତି ଆକାଶକୁ ଜହ୍ନ, ତାରା

ଅନ୍ଧାର ଆଉ ନିଃସଙ୍ଗତା...

 

ଫେରିଲେ ବି ଛାତିଥରା

ଦି’ଧାଡ଼ି କବିତା...

ଫେରିଲାନି କଣ୍ଟଦେଇ

ଦାଦନ ଖଟିବାକୁ

ଯାଇଥିବା ସନିଆ,

ଆଷାଢ଼ ଶ୍ରାବଣର ବର୍ଷା,

ବୋଧେ ଏ ବର୍ଷ ବି

ରହିଯିବ ତା’ ଚାଷ ଜମି ପଡ଼ିଆ ॥

 

ସ୍କୁଲ ଯାଇଥିବା ଝିଅ

କୁଆଡ଼େ ଗଲା

ଦିନଯାଇ ସଞ୍ଜ ରତରତ

ଖବର ନଥିଲା କା’ ପାଖରେ

ଆତୁର ବାପା ମାଆ

ରାତିସାରା ଆଖିରେ ନିଦ ନଥିଲା

ସକାଳୁ ସକାଳୁ

ଖବରକାଗଜରେ ଖବର ହୋଇ

ଖେଳୁଥିଲା

ନାବାଳିକ ଝିଅ ଫେରାର୍‌...।।

 

ତହିଁ ଆରଦିନ

ସବୁଠିକ୍ ଥିଲା ଯେ

କା’ର ପଣତ ଲୁହରେ ବତରୁ ଥିଲା ॥

-୦-

 

କୁମ୍ଭୀର ପିଠିର ମାଙ୍କଡ଼

 

ବନ୍ଧୁ ନେବ କି

ଦୁଃଖରୁ ଫାଳେ

ଯନ୍ତ୍ରଣାରୁ ଚଉଠେ

ଆଉ କଷ୍ଟକର

ମୁହୂର୍ତ୍ତରୁ ଚିରୁଡ଼େ... !

 

ଜାଣେ ଏତେ ସହଜ ନୁହେଁ ବନ୍ଧୁ

ଦୁଃଖରେ ଭାଗ ବସେଇବା

ଯନ୍ତ୍ରଣାକୁ ନେଇ ଜୁସ୍‌କରି ପିଇବା

ଆଉ କଷ୍ଟକର ମୁହୂର୍ତ୍ତକୁ ଗୁନ୍ଥି

କବିତାରେ ଉତାରିବା ॥

 

ଯା’ ହେଉ

ଭଲ ମନ୍ଦକୁ ପଚାରିଲ ବନ୍ଧୁ

ସେତିକି ଯଥେଷ୍ଟ !

ଆଉ କ’ଣ ପାଇଥା’ନ୍ତି ତମଠୁ ?

 

ଜାଣିଛି! ତମର ସବୁବେଳେ ଅଭିଯୋଗ

ମୁଁ କୁଆଡ଼େ ବୁଝିପାରିଲିନି

ଜୀବନ ଜ୍ୟାମିତିର ଜଟିଳ ଅଙ୍କ...

ଭାଗ ମାପ ହିସାବରେ

ଜିଇଁବାର କାଇଦା,

ସୁଖକୁ ଖୁନ୍ଦିଖାନ୍ଦି

ସଜେଇ ରଖିବାର ତରିକା,

ଅବା ଦୁଃଖଠୁ ଦୂରେଇ

ରହିବାର ଏତେ ଟିକେ

କରାୟତ୍ତ କରିପାରିଲିନି କଳାକୌଶଳ ॥

 

ବେଶ୍ ହେଲା ବନ୍ଧୁ !

ବୁଝିପାରିଲିନି ଛନ୍ଦ, କପଟ,

ମିଛ, ସତର ଲୁଡୁଖେଳ ଏଇ ଦୁନିଆର

କି କୁମ୍ଭୀର ପିଠିର ମାଙ୍କଡ଼ ବି

ହେଇପାରିଲିନି...

ତଥାପି ତ ବେଶ୍ ଖୁସିରେ ଅଛି

ନିଜ ଇଚ୍ଛା ମୁତାବକ ବଞ୍ଚିଛି !

 

ତେବେ ମୋ ସାନ କଥା

ଟିକେ ଶୁଣ ବନ୍ଧୁ !

ମିଛକୁ ଯା’ ଘିଚାଟଣା ଏଠି

କିଏ କ’ଣ ଏଠୁ କିଛି ନିଏ କି

ଯିଏ ଯା’ ନିଏ ତାହା

ହାତ ମୁଠାର ପୁଳେ ପବନ

ଆଉ ସବୁ ଶୂନ, ମହାଶୂନ...

ଏଇ ଅଛି, ଏଇ ନାହିଁର

ଖାଲି ଯା’ ଉଚ୍ଚାରଣ । ।

 

ନୁହେଁ କି ??

-୦-

 

ହାତ ଛାଡ଼ି ଦେଇଥିବା ଝିଅ

 

ହାତ ଧରି ବାଟ ଚାଲୁଥିବା ଝିଅ

ଯେବେ ହାତ ଛାଡ଼ିଦିଏ

କେମିତି ଲାଗେ ଜୀବନ

ଆଉ ପଚାରନା !

 

ଯେମିତି ଥ’ ହେଇଯାଏ ସମୟ

ପାଦ ଅଟକିଯାଏ ଏରୁଣ୍ଡିବନ୍ଧରେ

ନିଜ ଶବ ନିଜେ ବୋହିଲା ପରି ଲାଗେ

ଶୁଭେ ଖାଁ ଖାଁ ମରୁଭୂମିର ନିଃଶ୍ୱାସ

ମୁଣ୍ଡ ଉପରେ ଲଘୁଚାପ

ବର୍ଷଣ ମୁଖର ଆଖି

ଶ୍ୱାସରୁଦ୍ଧ ଅଣଚାଷ

ବାଟ ଭାଙ୍ଗି କୁଆଡ଼େ ମନଯାଏ

ଠିକଣା ନଥାଏ ॥

 

ସେଇଠୁ ବଦଳିଯାଏ ସବୁ କିଛି

ଦାଣ୍ଡପିଣ୍ଡା ଝୁରୁଥାଏ ଦୁଃଖରେ

ଫୁଲ ସବୁ ଝାଉଁଳିପଡ଼େ ଶୋକରେ

ପ୍ରଜାପତି ହୋଇଯାଆନ୍ତି

ନିରୁଦ୍ଧିଷ୍ଟ ଅଜଣା ଇଲାକାରେ

ଗୀତ ଗାଏନା ବି ହଳଦୀବସନ୍ତ

କେଉଁ ଏକ ଅଭାବ ବୋଧରେ

ଜଗୁଆଳି କୁକୁର

କଦବା କ୍ୱଚିତ୍ ରାତିରେ

ନିରାଶର ନୀତିଶ୍ଳୋକ ବୋଲେ

‘ସାବଧାନ...’

ଆଉ ଘର ସାଜେ ମଶାଣି ପଦା

ଟାଁ... ଟାଁ...

ଠେ।... ଠେ।...

ଠି... ଠି... ॥

 

ତା’ପରେ କ’ଣ ହୁଏ ?

 

ହାତ ଛାଡ଼ି ଦେଇଥିବା ଝିଅ

ସେତେବେଳେ କ’ଣ କରୁଥାଏ ?

ଜାଣିବାର ଯୁ’ ନଥାଏ...

ଡହଡ଼ହ ଜୀବନ ଖରାରେ

ଏବେଳରେ ଖେଳୁଥାଏ ସେ ବୋହୂକିତି

ମାତୁଥାଏ ମାତାଲି ମନ୍ତ୍ରରେ

ମନ ପୋଖରୀରେ

ପହଁରିଯାଏ ଏମୁଣ୍ଡସେମୁଣ୍ଡ

ସେ ପାଲଟି ଯାଇଥାଏ ପକ୍ଷୀ

ଉଡ଼ୁଥାଏ ଛୁଇଁ ଦେବାକୁ ନଭ

ପହଁରଉଥାଏ ହାତ

ତୋଳି ନେବାକୁ ତାରା

ରାତିର ଛାତିରୁ

ଚୋରେଇ ନେବାକୁ

କଳାକଳା କଜଳ

ଲାଗିଥାଏ ଅସୁମାରୀ

ସ୍ୱପ୍ନକୁ ସତ କରିବାରେ

ଦେହ ସାରା ବୋଳୁଥାଏ

ହଳଦୀ ରଙ୍ଗର ରଙ୍ଗ

ମନକୁ ମନ ସହିତ ମିଶେଇ

ମାପୁଥାଏ ମନ

ପଛ କଥା ପଛେ ପଡ଼ିଥାଏ

ଗଢ଼ୁଥାଏ ବାଟ

ଶିଖୁଥାଏ ନୂଆନୂଆ ଜୀବନର ନାଟ

ହା... ହା...

ହି... ହି...

ହୁ... ହୁ...॥

-୦-

 

ବଡ଼ବଡ଼ୁଆ

 

କିଛି ଦେଇପାରି ନଥିବା ହାତରେ

ଅର୍ଘ୍ୟର ଆଞ୍ଜୁଳି ଦେଲି

ହୋ ବଡ଼ବଡ଼ୁଆମାନେ...

 

ମିଛ ସୋହାଗରେ

ମିଛ ଆଦର୍ଶରେ

ମିଛ ଭଲପାଇବାରେ

ମିଛ ଆତ୍ମୀୟତାରେ

ମନେପକେଇଲି

ଆଜି ଅନ୍ଧାରର ଏ ଆଲୋକରେ ॥

 

ସାରା ଜୀବନ

ପଳେଇଲା ତମର

ଲୁହକୁ ଲୁଚେଇ

ଲହୁକୁ ପିଇ

ମୋତେ ସଜାଡ଼ିବାରେ ଯେ,

ସଜାଡ଼ି ଗଲାପରେ

ଅସଜଡ଼ା ହେଇଗଲା

ଯେମିତି ସବୁକିଛି,

ବଦଳିଗଲା କ୍ଷଣିକରେ

ଚାରି କାନ୍ଥର ପୃଥିବୀ ॥

 

ତମେ ତମ ରାସ୍ତାରେ

ମୁଁ ମୋ ରାସ୍ତାରେ...

 

ସତରେ କ’ଣ

ଏମିତି ବଦଳିଯାଏ

ସମୟ ସହିତ ମଣିଷ ନା

ମଣିଷକୁ ବଦଳେଇ ଦିଏ ସମୟ ?

 

ତମେ ପାଖରେ ଥାଇ

ଥିଲ ଯୋଜନ ଯୋଜନ ଦୂରେ

ସବୁ ଥିଲା ସିନା

କିଛି ହିଁ ନଥିଲା

ମୋ ପାଖରେ...

 

ମିଛ ଖୁସିରେ

ମୁଁ ମାତି ଥିଲି

ମୋ ସୀମିତ ଚୌହଦୀ ଭିତରେ

ଅଳିକ ଲୋଭ, ମୋହ, ମାୟାରେ !

 

ମୁଁ ଯେତେବେଳେ

ପାଖକୁ ଆସିଲି

ତମେ ନଥିଲ ହାତପାଆନ୍ତାରେ...

 

ହୀନକପାଳ ମୋର

ଜିଇଁଥିବାବେଳେ

ଦେଇପାରିଲିନି

ଖୁଦ କି ଖଣ୍ଡେ ଖଦି

ଦୋଷ କାଟିବାକୁ

ଆଜି ନିଷ୍ଠାରେ

ସ୍ୱାର୍ଥପରତାରେ

ଡାକୁଛି ହୋ ବଡ଼ବଡ଼ୁଆ

ଅନ୍ଧାରରେ ଆସି

ଆଲୁଅରେ ଯାଅ

ମୋତେ କ୍ଷମାକର !

 

ଆଉ କହୁଛି

ଯେତେ ଦୂରେ ଥାଅ

ଯେଉଁଠି ଥାଅ

ଭଲରେ ଥାଅ

ସୁଖରେ ଥାଅ

ଖୁସିରେ ଥାଅ...

 

ଆଶୀର୍ବାଦ କର

ଆଉ କେବେ ବି ମୁଁ ଜନ୍ମ ନନିଏ

ଯେମିତି ତମର ଦାୟାଦ ଭାବରେ !

-୦-

 

ବିଦାୟ ବେଳାର ଗୀତ

 

ଝିଅ ଲୋ !

ଏଇଠୁ କାଟିଲି ବାଟ

ଏବେ ତୋ ଭାଗ୍ୟ...

 

ବର୍ଷ ବର୍ଷର ଅଳିଅର୍ଦ୍ଧଳି

ସ୍ନେହ, ସୋହାଗ,

ଗେହ୍ଲା, ଅଝଟପଣକୁ

ମନର ଠଣାରେ

ଟାଙ୍ଗିଦେଲି ଆଜିଠୁ ।

 

ଜାଣିଥା’-

ତୋ ଆକାଶ ଏବେ ତୋର

ମୋ ଆକାଶ ଏବେ ମୋର

ତୋ ଆଶ୍ରୟ ପାଇଁ

ମୋ ଛାତି ତଳର

ଚାଖଣ୍ଡେ ଜାଗା ଏବେ ନିଅଣ୍ଟ ॥

 

ଆହୁରି ଜାଣିଥାଲୋ ଝିଅ

ଉଡ଼ିବାକୁ ଚାହିଁବୁ ତ

ମାପି ନେଇଥିବୁ

ତୋ’ ଡେଣାର ଦମ୍ଭ,

ନିଜର କରିଥିବୁ

ରାଜା, ରାଜ୍ୟ, ରାଜଧାନୀ,

ଜଗିଥିବୁ

ଶିଉଳି, ଶିକୁଳିକୁ ପାଦେପାଦେ,

ଚଳୁଥିବୁ ମନ ସହିତ

ମନକୁ ମିଶେଇ

ହାତକୁ ହାତ ଦେଇ ॥

 

ଲୁହକୁ ସାଇତି ରଖିବୁ ଲୋ ଝିଅ

କେହି ନଜାଣିଲା ପରି

ଅନ୍ଧାରର ଅଳନ୍ଧୁରେ, ଶାଢ଼ି ପଣତରେ...

ପେଟରୁ ଦାନାକାଟି

ଖୋଉଥିବୁ, ପେଉଥିବୁ

ସଞ୍ଚୁଥିବୁ ସନ୍ତୁଷ୍ଟି...

ଅଝଟପଣକୁ

ଅନ୍ଧପୁଟୁଳିରେ ବାନ୍ଧିଦେବୁ

ତୋ’ ଫର୍ଚ୍ଚା ଆକାଶ ପାଇଁ ॥

 

ବିଦାୟ ବେଳାରେ

ଏତିକି କଥା ମନେ ରଖିବୁଲୋ ଝିଅ

ଖବରକାଗଜର ଖବର ହେବୁନି

ମୁଁ ରହିଥିବା ଯାଏ ଜିଇଁ ॥

-୦-

 

ଶବ୍‌ଦର ଡାକ

 

ଶବ୍‌ଦ ଡାକୁଛି

ତମେ ଯିବ କି

ଶବ୍‌ଦର ସହର ?

 

ଯିବ ଯଦି ଆସ !

ମୋ ପଛେ ପଛେ...

 

ଚିହ୍ନେଇ ଦେବି

ଶବ୍‌ଦର ଶରୀର

ତା’ର ଆତ୍ମା,

ତା’ର ଅନାବିଳ ଭଲପାଇବା

ଆଉ ଚିରନ୍ତନତା !

 

ଯେଉଁଠୁ ଶୁଭୁଛି ରହିରହି

କାହାର କୁହୁକୁହୁ ଡାକ

ନେଇଯିବି ସେଠିକି,

ଭଲପାଇବାର

ଲୁଡ଼ୁ ଖେଳ ଯେଉଁଠି ଚାଲିଛି

ସେଠି ଛିଡ଼ା କରିବି ତମକୁ

ଆଉ ଶବ୍‌ଦ

ଯେତେବେଳେ ଫୁଟୁଛି

ଆମ ଚାରିପଟେ ଫୁଲ ହୋଇ

ଦେଖେଇ ଦେବି ବି ତା’ର ଠିକଣା !

 

ଏଇ ଯେଉଁ ଦେଖୁଛ

ଆଗ ମୋଡ଼

ସେଇଠି ବୁଲିବାକୁ ହେବ

ଶବ୍‌ଦର ସହରକୁ,

ତା’ର ଡାହାଣକୁ ଗଲେ

ପଡ଼ିବ ଯେଉଁ ଗଳି

ସେଇଠୁ ହିଁ ଦେଖାଯିବ

ଢାମଣା ସାପର ଦେହପରି ରାସ୍ତା,

ଆଗକୁ ଖାଲି ଅନ୍ଧାର...

 

ଏଇ ମୌକାରେ

ତମକୁ ଡରେଇବେ

ଭୂତ, ପିଶାଚ ଚିର୍‌ଗୁଣି,

ବାଟ ଭାଙ୍ଗିବାକୁ

ଯୋଜନା କରିବ ହାଡ଼ବାଇ,

ସଁ ସଁ ଶବ୍‌ଦରେ

ଫୁତ୍କାର ତୋଳିବ ସାପ

ଝରିପଡ଼ିବ ବାଲିଝଡ଼

ତମ ଦେହ ଛୁଇଁ...

ଛକିଥିବ ବାଘମାମୁ

ଶୁଭିବ ବିକଟାଳ ଶବ୍‌ଦ

ଆଉ ଯାହା ନକହିବା ଭଲ,

ଏବେଳରେ ଡରିବନି ଜମା

କହିଦେଉଛି ଭାଇମାନେ ଆଗରୁ...

 

ଶବ୍‌ଦର ସହର ଯିବା ବି

ଏତେ ସହଜ ନୁହେଁ ମ

କିନ୍ତୁ ଏତିକି ମନେରଖ

ସେଠିକି ଥରେ ପହଞ୍ଚି ଗଲେ ଗଲା

ଆଉ ସବୁ ତୁମର ବୋଲି ଜାଣ ॥

 

ସେଠି ନଥିବ

ଦୁଃଖ, ଶୋକ କି ଯନ୍ତ୍ରଣା

ଥିବ ଖାଲି ସୁଖର ସାଗର

ଆଉ ମିଠା ମହୁ ଜୀବନର

ଅଲିଖିତ ଟିପଣା...

 

କ’ଣ ଯିବଟି ?

ଯିବ ଯଦି ଆସ

ମୋ ପଛେ ପଛେ

ନିର୍ଭୟରେ !!

-୦-

 

ଆଖି ବୁଜିଦିଅ ଈଶ୍ୱର

 

ଈଶ୍ୱର !

ଏବେ ଚୁପ୍‌ ରୁହ

ଯାହା କିଛି ଘଟିବାର ଅଛି

ଦୟାକରି ଘଟିବାକୁ ଦିଅ !!

 

ଚଳନ୍ତି ପାଣି ପବନରେ

ବଢ଼ୁ ହୃଦୟରେ ହିଂସ୍ରତା

ଡାଳପତ୍ର ମେଲି ଗଜରୁ ଥାଉ

ଯେତେ ଘୃଣା, ପରଶ୍ରୀକାତରତା

ବୋହିଯାଉ ରକ୍ତର ନଦୀ

ଚାଲିଥାଉ ନକ୍ସଲ ଆତଙ୍କ

ମଣିଷପଣିଆକୁ ମାରି

ସାଜୁଥାନ୍ତୁ ଥୋକେ ମାଓବାଦୀ

ରଟୁଥାନ୍ତୁ ନୂଆ ନୂଆ ଖେଳ

ନେତା, ରାଜନେତା

ଭୋକିଲାକୁ ନମିଳୁ ଦୁଇପଟ ରୁଟି

ପିଲାବିକ୍ରୀ ଚାଲୁଥାଉ ବାଡ଼ି ପଟେ

ଭ୍ରୂଣହତ୍ୟାକୁ ନେଇ ମୁଣ୍ଡ ଖେଳାଅନି

ଶୁଭୁଥାଉ ପଛେ ଗଣତନ୍ତ୍ରର ଜୟ ଜୟ ଧ୍ୱନୀ

ଏତିକିବେଳେ ଈଶ୍ୱର

ତମେ ରହିଯାଅ ନିର୍ବିକାର ॥

 

ତମରି ଆଖି ଆଗରେ

ଭାଙ୍ଗିଯାଉ ତମ ଘର,

ଗୀର୍ଜା, ଗୁରୁଦ୍ୱାର, ମନ୍ଦିର

ମିଶିଯାଉ ମାଟିରେ

ଲୋଟିପଡ଼ନ୍ତୁ ତମ ଭକ୍ତ

ଆତତାୟୀର ଗୁଳି ଚୋଟରେ

ତମରି ପିଣ୍ଡାରେ ଗଡ଼ୁ ଶବ

ଶୁଭୁଥାଉ ବି ଯନ୍ତ୍ରଣା ଜର୍ଜରିତ

ଆଶ୍ରିତଙ୍କ ଆଃ ଆଃ ଚିତ୍କାର

କାନରେ ପକେଇଦିଅ ବାଡ଼

ଗୋଡ଼ଭାଙ୍ଗି ଠିଆ ହେଉଥାନ୍ତୁ ପଛେ ମଣିଷ

ଅନ୍ୟାୟକୁ ଅଣଦେଖାକରି

ଚୁପ୍ ରହିଯାଅ କିଛିକାଳ

ବର୍ତ୍ତିଯାଉ ସଂସାର ॥

 

ଈଶ୍ୱର !

ତୁମେ ଈଶ୍ୱର ହୋଇ ରୁହ

ଦୁର୍ବଳ ହୁଅନି ଏବେଳରେ

ହୃଦୟକୁ ଟିକେ ମାତ୍ର କଠିନ କର

ଶୁଣାଅନି ରାମାୟଣ, ମହାଭାରତ

ଭାଗବତ, ଗୀତାର ଗୀତ

ରୋପିଦିଅନି ବି ମାନବିକତାର ମନ୍ତ୍ର

ମଣିଷ ମନରେ

ଏଠିସେଠି ପ୍ରଦର୍ଶନୀ ଖୋଲି

ପ୍ରବଚନ ଅବା ସାଟେଲାଇଟ୍ ଚାନେଲରେ ଶୁଣାଅନି

ଧର୍ମ ଅଧର୍ମର କଥା

ହଟେଇ ଦିଅନି

ଏତେ ଶୀଘ୍ର ଅନ୍ଧାର

ବନ୍ଦକର କିଛି ଦିନ

ଏସବୁ ତୁମ କାରବାର ॥

 

ଈଶ୍ୱର !

ମୁଁ ଦେଖିଛି ମଣିଷ ହେବାର

ତମର ଭାରି ଲୋଭ

ସେ ପାଇଁ ନା ନା ରୂପେ

ସତ୍ୟରୁ କଳିଯାଏ

କରିଅଛ କେତେ ଫନ୍ଦିଫିକର...

ଆଜିଯାଏ ବୁଝିପାରିନି

ମଣିଷ ସମାଜକୁ ଉଦ୍ଧାରିବାକୁ

କାହିଁକି ତମେ ଆତୁର, ଏତେ ଦୟାଳୁ ?

ନଂପୁସକ ବୀର !!

 

ଈଶ୍ୱର !

ତମେ ଏବେ ଯଦି

ନିଜକୁ ନସଜାଡ଼

ପୂରିବ ନାହିଁ ସେର

ଧର୍ମର ହେବ ନାହିଁ ଜୟ

ମଣିଷପଣିଆର ହେବନି ଆଦର

ସଂସାର ହେବ ନାହିଁ କେବେ ସଂସାର

ପାର ଯଦି ଆଖି ବୁଜିଦିଅ

ଶୋଇପଡ଼ ଅନନ୍ତ କାଳ

ତା’ପରେ ଇଚ୍ଛା ହେଲେ

ଆଖି ଖୋଲିପାର ॥

 

ସୃଜିପାର ସୃଷ୍ଟି

ନିଜ ଇଚ୍ଛାମତେ ନୂଆକରି...।

-୦-

 

ଜୟ ହୋ !

 

ଖୁସିର ମୁହୂର୍ତ୍ତ ସବୁ

ଖସିଯାଏ ହାତ ପାପୁଲିରୁ...

 

ସୁଖର ଫସଲ ଅମଳ ବେଳକୁ

ଧାନର ସୀଷାରେ

ଧରି ନେଇଥାଏ ବମା,

ଲୁଟି ନେଇଥା’ନ୍ତି

ପ୍ରଜାପତି, ଭ୍ରମର

ଫୁଲରୁ ମହୁ

ହଜିଯାଇଥାଏ

ଆକାଶରୁ ନୀଳରଙ୍ଗ

କୋଇଲିର କୁହୁ ॥

 

ଜୟ ହୋ-

କହିବାକୁ ନଥାଏ ତର

ଘାଟ ଜଗିଥିବା

ପାଳଭୂତ ବି ଫେରାର୍‌...

କେମିତି ଲାଗେ ଜୀବନ ଏବେଳରେ

ମାନିନେଲା ବେଳେ ହାର୍ ??

 

ତମେ କ’ଣ ଜାଣିନା

ଜୀବନରେ ଦୁଃଖଠାରୁ

ସୁଖକୁ ଭୁଲିବା ଢ଼େର କଷ୍ଟ

ଆଉ ବିଶ୍ୱାସରେ ବିଷକୁ

ହଜମ କରିବା

ଯେତକି ସହଜ

ଅବିଶ୍ୱାସରେ ଅମୃତ ବି ଲାଗେ

ସେତିକି ଗରିଷ୍ଠ...

 

ଏବେ ସୁଖକୁ ଧରିବା

ଏତେ ସହଜ ନୁହେଁ ହୋ !

ଏଇ ଅଛି ଏଇ ନାହିଁ,

ଫାଳେ ଆଲୋକ

ଫାଳେ ଅନ୍ଧାର ॥

-୦-

 

ଜୀବନୀ

 

ନିଅ-

ସୁଖ, ଦୁଃଖ

ହସ, କାନ୍ଦ

ଲୁହ, ଲହୁ

ପାପ, ପୁଣ୍ୟ

ସ୍ନେହ, ଶ୍ରଦ୍ଧା

ହିଂସା, ଦ୍ୱେଷ

ଜୟ, ପରାଜୟ

ଅନୁଭବର ଅନୁବାଦକୁ ଫେଣ୍ଟି ଦେଲି

ହୋ ବିଜ୍ଞଜନ, ପଢ଼ ॥

 

ପ୍ରଥମେ ସଜେଇଲି

ନାନା ଚିତ୍ରରେ ମୁକୁଟ

ନାଲି, ନେଳି ଛବିରେ,

ତହିଁ ପରକୁ ନିଜକୁ ରଖିଲି

କଳା କଳା ଅକ୍ଷରରେ

ଗର୍ବ ଆଉ ଦମ୍ଭରେ,

ପରକୁପର ନିଜକୁ ଉତ୍ସର୍ଗ କଲି

ଘୋଷଣାନାମାରେ

ସ୍ୱାର୍ଥପରତାରେ

କା’ ନାମରେ,

ଲୋଭ ଆଉ ଲାଭର ଆଶାରେ ॥

 

କିଛି ବଖାଣିଲି

ମିଛିମିଛିକା ନିଜ କଥା

ନିଜ ମୁହଁରେ ତ

ପର ପାଦରେ ଆଉ କିଛି

ଚାଟୁକାରଙ୍କ ଚାଟୁକାରିତାରେ

ଲେଖାଥିବା ମାନପତ୍ର

ନିଖୁଣ ଭଙ୍ଗୀରେ...

 

ତା’ପରେ ହିଁ

ଦୃଶ୍ୟ ଓ ଦୃଶ୍ୟାନ୍ତର

ଯୁଦ୍ଧ, ଶାନ୍ତି,

ମୈତ୍ରୀର ଅଣଚାଶ...

 

ସବୁଠି ଦେଖେଇଲି

ମୋର ଆଲୋକର ଅଞ୍ଜଳି

ଆର ଅନ୍ଧାର ଫାଳକ

ଚାହିଁଲି ଲୁଚିଯାଉ ଚିରକାଳ,

ସାଥ ଦେଉ କେଉଁ ଅନ୍ଧାରିଆ ଗଳି ॥

 

ସବୁ ଛାଡ଼ିଲି ହୋ

ମିଛକୁ ଏତେ କଥା...

ଆଉ କିଛି ନାହିଁ ମନରେ

ପୂରା ଧର୍ମବକ ବୈରାଗ୍ୟ

ଏବେ ତମେ

ମୂଲ୍ୟାଙ୍କନ କରିବ

ମୋତେ, ମୋର ଜୀବନ

ତୁମେ ପରା ଆଗାମୀ ଦାୟାଦ !

 

କହି ଦେଉଛି-

ଯେତେ ଯାହା ଲେଖିଛି

ଟିପେ ମିଛ ନୁହଁ

ସତ ହିଁ ଜୀବନ...॥

 

ଯାକୁ ଯେତେ ଛାଡ଼ି ଆସିଲି

ଶେଷରେ

ଏତିକି ସାଉଁଟିଲି ଶବ୍‌ଦରେ

ତୁମପାଇଁ ରଖି ଯାଉଛି

ପ୍ରଣାମ ଉପସଂହାରରେ ॥

-୦-

 

ଏମିତି ଦିନେ ହଜିଯିବି

 

ଏମିତି ଦିନେ ହଜିଯିବ

ତୁମେ ଯେତେବେଳେ

ଚାହୁଁ ନଥିବ ମୋ ଅନୁପସ୍ଥିତି...

 

ଆକାଶ ଦେହରେ

ବାଦଲ ଉହାଡ଼େ

ଚିକ୍‌ମିକ୍ ତାରା, ସଫେଦ୍ ଜହ୍ନ

ଲୁଚିଯିବା ଭଳି...

ଦୂର ଦିଗ୍‌ବଳୟ ଛାତି ତଳେ

ଆଞ୍ଜୁଳେ ରକ୍ତରେ

ସୂର୍ଯ୍ୟ ବୁଡ଼ିଯିବା ଭଳି...

ଡେଣାଝାଡ଼ି ନୀଡ଼ ଫେରା

ଗେଣ୍ଡାଳିଆ, ବଗ କି

କୁନି କୁନି ପକ୍ଷୀ ଭଳି...

କାଚକେନ୍ଦୁ ପୋଖରୀ ଜଳରେ

ଗାଧୋଉ ଗାଧୋଉ ସୁନାମୁଦି

ପାଦର ପାଉଁଜି ଖସିଯିବା ଭଳି...

ପାହାନ୍ତା ପହରୁ

ଗଛର ଡାଳରୁ ଫୁଲ ସବୁ

ନିରୁଦ୍ଧିଷ୍ଟ ହୋଇଯିବା ଭଳି...

ପବନ ପାଟିରେ

ପତ୍ର, କାଠିକୁଟା ଶୂନ୍ୟେ ଶୂନ୍ୟେ

ହଠାତ୍ ଉଡ଼ିଯିବା ଭଳି...

ଭୁଲ ଠିକଣାର ଚିଠି ଭଳି...

କବିତାରେ ବୁଡ଼ିଥିବା କବିଟିଏ ଭଳି !

 

ଏମିତି ଦିନେ ହଜିଯିବି

ସେମିତି ପଡ଼ି ରହିଥିବ ମୋ

କାଗଜ, କଲମ, କବିତାର ଧାଡ଼ି

ନିଃସଙ୍ଗତା, ନିରବତା

ଖେଳୁଥିବେ ଠିଆପୁଚି ଏଭିତରେ

ହୋଇସାରିଥିବି ମୁଠେ ବାଲି

ଏମିତି ଦିନେ ଉଡ଼ିଯିବି

ସବୁ ମୋହ, ମାୟାକୁ ଠେଲି

ମୁଁ ସେତେବେଳେ ଥିବି

ମୋ କବିତା ଡାଏରୀ ପୃଷ୍ଠାରେ

ଯଦି ପାର ତମେ ପଢ଼ିପାର

ଅବସର ସମୟରେ

ତାକୁ ଟିକେ ଖୋଲି...॥

-୦-

 

ଫେରିଚାଲ

 

ଶବ୍‌ଦ ସବୁ

ହଜିଗଲେ ହାଟରେ...

 

କବିତା ଲେଖିବାକୁ

ବସିଛି ଯେ, ଜାଣିପାରୁନି

କେତେ ଅଧ୍ୟାୟ ଲେଖିବି ଜୀବନ !

 

ଆଜିଯାଏଁ ସାଥ୍ ଦେଲେ

ରାତି, ଋତୁ, ରଫ୍‌ଖାତା

ପାପ, ପୁଣ୍ୟ, ନିରବତା,

ଏଇଠୁ ବୋଧେ ଶେଷର ଆରମ୍ଭ

ହାତ ମୁଠା ଏଇ ଦେଖ ଶୂନ୍‌...

 

ଉଡ଼ି ଆସିଲାଣି ମନ

କିଟ୍‌ମିଟ୍ କଳାଅନ୍ଧାର ରାତିର ମୋହ

ଦେହ ଦରଜାର ଲୋଭ

ମାଟି ମମତାର ମିତ୍ରତା

ପିଲାଝିଲ୍ଲା, ପରିବାର ବନ୍ଧନର

ଚାରୁଚିତ୍ର ଆକର୍ଷଣ !

 

ଢେର ଆଗରୁ

ହାତକାଟି ଲେଖି ଦେଇଛି

ହିସାବ କିତାବ ଜଣେ

ସରିଛି କାରବାର, ଦେଣନେଣ

ତଥାପି ଧାଉଁଛି ଶବ୍‌ଦର ମାୟାରେ

ଭିଜୁଛି ଗୋଟାପଣେ

ହେଲେ ଜମାରୁ ବୁଝୁନି ମନ...

 

ଏତିକି ବେଳେ

ହଜିଯାଇଥିବା ଶବ୍‌ଦ

ଖୋଜିବାକୁ ବାହାରିଛି ଯେ

କିଏ ଜଣେ କହୁଛି,

ଉଚ୍ଛୁର ହେଲାଣି ସମୟ

ସେତିକି ଥାଉ

ଶବ୍‌ଦ ଖୋଜିବା,

ଏବେ ଫେରିଚାଲ ...!!!

-୦-

 

ଅକାତକାତ

 

ଖୋଜୁଛି ପାଦେ ଭୂଇଁ

ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ

ଏଇ ଦେଖ କିଛି ପାଇ ନାହିଁ...॥

 

ଗୋଧୂଳିର ଗୁଞ୍ଜନରେ

ହରଡ଼ବଣ ଡେଇଁ

ଉଡ଼ିଗଲା ହରଡ଼ ପକ୍ଷୀ

ଦେଖି ବି ଦେଖି ହେଲା ନାହିଁ ।

 

ଯେଉଁଠି ଅଟକିଲା ପାଦ

ଗଣ୍ଡ, ଭଉଁରୀ, ନୀଳ ଜଳ

ଅକାତକାତ ପାଣି,

ଆଉ ଯା’ ନକହିବା ଭଲ

ସେସବୁ ଅଭୁଲା କାହାଣୀ ॥

 

ଭୋଗ ବି ଭାଗ୍ୟ କଥା

ଏତିକି ବୁଝିଲାବେଳକୁ

ବେଳ ହେଲାଣି ରତରତ

ଧାନଉସୁଁଆ ହାଣ୍ଡିପରି ଜୀବନ

ଏକଥା କହୁଥିଲେ ଜଣେ ମହନ୍ତ-

ଯା’ ଟିପେ ନୁହେଁ ମିଛ ॥

 

ଆଉ କ’ଣ ହେବ ?

ହ.ଗୁ.ମି.ଫେ. ପରେ

ଭାଗଫଳ ଶୂନ୍‌...

ଭୋଗ ବି ଶୂନ୍‌...

ଭାଗ୍ୟ ବି ଶୂନ୍‌...

 

ଆଗରେ

ସମୟର ଫୁଫୁ ଫୁତ୍କାର

ପଛରେ ବିକଟାଳ ସ୍ୱର

ତା’ପରେ ପରେ ଦିଶୁଛି ଯା’

ଧୁମ୍ ନିରବ ନିଥର

ଶୂନଛକି ଖେଳ... ॥

 

ଜୀବନର ମୋହ

ପୁଣି ଅଥଳ ସମୁଦ୍ର ॥

-୦-

 

ରାତି ସେମିତି ଶୋଇଥାଉ

 

ଶୋଇଥାଉ ରାତି

ଏବେ ନିଦରୁ ଉଠିପଡ଼...

 

ଅନ୍ଧାରର

ଆଲୁଅ ଭିକ୍ଷା ଭିତରେ

ଜୀବନର ଅନ୍ଧାରିଆ

ଅଣଦେଖା, ଅଣଷଣ୍ଠଣା

ଭାଗବତ ଥରୁଟେ

ଚୁପ୍‌ଚାପ୍ ପଢ଼ ॥

 

ଗୀତା, ବାଇବେଲ୍‌, କୋରାନ୍‌ର

ନୀତି, ନୈତିକତା

ନିରୁତା ନୈବେଦ୍ୟରେ

ପାର ଯଦି ବୁଡ଼ିଯାଅ କିଛିକାଳ ॥

 

ରାତିର ଛାତିରେ

ଅଙ୍କ କଷ

ସୂତ୍ର ଖୋଜ

ଚିତ୍ର ଆଙ୍କ

ଛୁରି ଭୁସ

ଅବା ମରି ଶୋଇଯାଅ...

ନଚେତ

ରାତି ସାଥେ (କଥାହୁଅ)

ରମଣର ରିଆଜ ରଚ

ଅନ୍ଧାରରେ

କବିତାର କମନୀୟତାକୁ ପରଖ

ଛାତି ତଳ

ଦୁକ୍‌ଦୁକ୍ ଦକ୍‌ଦକ୍‌

ସ୍ପନ୍ଦନକୁ କାନଡ଼େରି ଶୁଣ

ରାକ୍ଷାଶୁଣୀ କି ପିଶାଚୁଣୀର

କାହାଣୀକୁ ମନେପକାଅ

ଡାଆଣୀର ଡବ ଡବ

ଆଖିର ଅକ୍ଷରକୁ

ରୂପଦିଅ ଶବ୍‌ଦରେ (ସଜାଅ)

ଏସବୁ ନହେଲେ

ନିଜ ପାଇଁ ଲୋରି ଲେଖ...॥

 

ବାସ୍ !

ରାତି ସେମିତି ଶୋଇଥାଉ,

ନିରବତାର ଶବ୍‌ଦ

ନଶୁଭୁ ଯେମିତି ଧଡ଼ଧଡ଼

ଆଉ ଏତିକି ବେଳେ କିଛି ଗୋଟେ

କାମରେ ଲାଗିପଡ଼ !

-୦-

 

ଲେଖା ସରିଲାଣି...

 

ଲେଖା ସରିଲାଣି

କାହିଁ ନା କାହିଁ କବିତା

ଏଥିକୁ ମୁଁ ପୁଣି କଲମ ଧରି ବସିଛି...

 

ହେଇ ତ

କ’ଣଟେ ଛୁଇଁଦେଇ ଛିଟିକି ଗଲା

ଶୀତେଇ ଉଠିଲା ଦେହ

ପବନ ନା କ’ଣ ?

ଦିଶିଗଲା ଧାପେ ଆଲୁଅ

ବୋଧହୁଏ ବିଜୁଳିର ସୁଅ !

 

ହୋ ଭାଇ

କୁଆଡ଼େ ଯାଉଛ ?

ଏକାମ୍ରହାଟ

ନିକୋ ପାର୍କ

ନା ନନ୍ଦନକାନନ ?

ଆମ ସଂସ୍କୃତି ବଞ୍ଚେଇ ରଖିଛି

ବର୍ଷକୁ ଦିନେ ଦି’ ଦିନ

ଜନତା ମୈଦାନ

ରବିନ୍ଦ୍ର ମଣ୍ଡପ

ପ୍ରଦର୍ଶନୀ ପଡ଼ିଆ

ସୂଚନା ଭବନ...

ସେତିକି କ’ଣ କମ୍ କଥା ?

 

ଢେର୍ ଭାଇ ଢେର୍‌

ଦି’ ଓଳି ଦୁଇମୁଠା ପେଟକୁ ମିଳୁ

ତେଣିକି ମୋରମ୍ ଉଡ଼ୁ କି

ମୋରମ ଛାଡ଼ୁ

କହିବାର କିଛି ନାହିଁ

ବଞ୍ଚିରହୁ ଏ ପ୍ରାଣ !

 

ହଟେଇ ଦେଲାଣି ସରକାର

ବସ୍ତିର ଝୁମ୍ପୁଡ଼ି

ରାସ୍ତା କଡ଼ ଦୋକାନ

ରାଜଧାନୀ ହେବ କୁଆଡ଼େ ଝକାସ୍

ପୂରା ଚିକ୍କଣ,

ଲେଖିବାକୁ ବହୁତ କଥା ଅଛି ଯେ

ବୋଲ ମାନୁନି ଯା’ କଲମ !

 

ହ, ଯା’ ହଉଛି ହଉ

ତେଣେ ମୁଁ ଯାଏ...

 

କବିତାର ନିଶା

ପୁଣି ଅସହାୟ ମୁହୂର୍ତ୍ତ !

-୦-

 

ଆଜି ପାଇଁ ଏତିକି ଥାଉ

 

ଶବ୍‌ଦକୁ ପିନ୍ଧେଇଛି

ସରଳତା

କବିତାକୁ କମନୀୟ ଭାବ

ଏବେ କେମିତି ଛୁଇଁବ ଛୁଅଁ ...!!

 

ଆକାଶର ଛାତିଚିରି

ଉଡ଼ିଗଲେ ପୁଞ୍ଜେ ଧଳାବଗ

ଝାଡ଼ିଦେଲେ ପର

ଏଇ ଦେଖ ନଖର ଦେହରେ

କଉଡ଼ି ସମ୍ଭାର...

 

ଅବସୋସର ଇତିହାସ ପାଇଁ

ଫୁଲ, ଫଗୁଣ, ପ୍ରଜାପତି

ଜୀବନ, ଯନ୍ତ୍ରଣା, ଜଉଘରର

ଇତିକଥା ଖୋଜିବା

ଜାଣେନି କେତେ ଠିକ୍‌...

ଖୋଜିବାରେ ମଜା ଅଛି

ସେ ଲାଗି ବୋଧହୁଏ

ମୋହରେ ପଡ଼ିଛି !

 

ଏଇ ବାଟେ

ଚାଲିଗଲେ କେହି ଜଣେ

ପଡ଼ିଛି ପାଦଚିହ୍ନ, (ଯା’ କହୁଛି,)

ସଠିକ୍ କହି ପାରିବିନି

କିଏ ଯାଇଛି ନା ନାହିଁ

ତେବେ ବି କେହି ନା କେହି

କାହାକୁ ଖୋଜୁଛି ରାତିଦିନ !

 

ଖୁଦ ମୁଠେ ବୁଣିଦେଲି

ଅଗଣାରେ

ଖରାର ଖଦଡ଼ ପିନ୍ଧି

କହିଯିବ କିଏ ଜଣେ

କା’ର ଆସିବା ମୁହୂର୍ତ୍ତ,

ସେ ମହାର୍ଘ ସମୟ ଆସିବ ନା ନାହିଁ

ମୁଁ ତ ଜାଣେନା

ତଥାପି ଗାଉଛି

ଜୀବନ ସାରା

କେନ୍ଦରାର ସୁରେ ସୁରେ ଗୀତ ॥

 

କହୁ କହୁ କହିଦେଲି କେତେ କଥା

ଆଉ କିଛି ମନତଳେ ରହୁ

ରାତି ହେଲାଣି ଅନେକ

ଆଜି ପାଇଁ ଏତିକି ଥାଉ !

-୦-